ରଥ ଖଳା ହାଲଚାଲ : ସରିଲା ୩୭ ଚକ କାମ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୨ ଦିନ ପୂରିଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ତିନି ରଥର ୪୨ ଚକରୁ ୩୭ଟି ଚକ କାମ ଶେଷ ହୋଇଛି। ସେପଟେ ଆଜି ରଥଖଳାରେ ନୂଆ କରି ଢମକ କାଠ ପଡ଼ିଛି। ଜଗତପୃଷ୍ଠ ସେଣି ତଳେ ଓ ଉପରେ ଲାଗିବାକୁ ଥିବା ଏହି କାଠ ତିନି ରଥ ପାଇଁ ଆଗିଆଣି ଓ ପଛିଆଣି ହୋଇ ୭ଟି ଆବଶ୍ୟକ। ନନ୍ଦିଘୋଷ ଓ ତାଳଧ୍ୱଜ ରଥ ପାଇଁ ୨ଟି ଲେଖା ଏବଂ ଦର୍ପଦଳନ ରଥ ପାଇଁ ୩ଟି ଢମକ କାଠ ଲାଗିବ। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ଭୋଇ ସେବକମାନେ ତିନି ରଥ ପାଇଁ ୩ଟି ଢମକ କାଠ ପକାଇଛନ୍ତି। ଏହାବାଦ ନନ୍ଦିଘୋଷ ରଥ ପାଇଁ ଆଜି ଏକ ଗୟଳ କାଠ ପଡ଼ିଛି। ପୂର୍ବରୁ ସୁଭଦ୍ରାଙ୍କ ରଥ ପାଇଁ ଏକ ଗୟଳ କାଠ ପଡ଼ିଥିଲା। ଚାରିନାହାକା କାମ ବି ଆଗେଇ ଚାଲିଛି। ୩ ରଥ ପାଇଁ ୪ଟି ଲେଖା ୧୨ଟି ଚାରିନାହାକା ଆବଶ୍ୟକ ଥିବାବେଳେ ଆଜି ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ବାକି ଚକର ଅଖ ଓ ପଇ କାମ ବି ଆଗେଇ ଚାଲିଛି। ରୂପକାର ସେବକମାନେ ଗୁଜ, କୋଣଗୁଜ କାମକୁ ତ୍ୱରାନ୍ଵିତ କରିଛନ୍ତି।

ସମ୍ବନ୍ଧିତ ଖବର