ରଥ ଖଳା ହାଲ୍‌ଚାଲ୍‌ : ସରିଲା ନନ୍ଦିଘୋଷ ଓ ତାଳଧ୍ୱଜ ରଥ ଅଖ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୯ ଦିନ ପୂରିଛି। ଆଜି ରଥଖଳାରେ ଦଣ୍ଡା ଅନୁକୂଳ ହୋଇଥିବାବେଳେ ଚଉଦ ନାହାକା କାଠ ହଣା କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି କଟକ କରତକଳରୁ ଚଉଦ ୨୦ ଫୁଟିଆ ନାହାକା କାଠ ଟ୍ରକ୍‌ ଯୋଗେ ପହଞ୍ଚିବା ପରେ ଆଜିଠାରୁ ଏହାର ହଣା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ତିନି ରଥର ଅଖ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥ ପାଇଁ ୮ଟି, ତାଳଧ୍ୱଜ ରଥ ପାଇଁ ୭ଟି ଓ ଦର୍ପଦଳନ ରଥ ପାଇଁ ୬ଟି, ଏପରି ତିନି ରଥ ପାଇଁ ୨୧ଟି ଅଖ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ନନ୍ଦିଘୋଷ ଓ ତାଳଧ୍ୱଜ ରଥର ସମସ୍ତ ଅଖ କାମ ଶେଷ ହୋଇଛି। ଦର୍ପଦଳନ ରଥର ୫ଟି ଅଖ ଶେଷ ହୋଇଥିବା ବେଳେ ଆସନ୍ତାକାଲି ବଳକା ଗୋଟିଏ ଅଖ ଶେଷ ହେବ ବୋଲି ଜଣାପଡ଼ିଛି। ସେପଟେ ମୁହାଣ୍ଟ ଓ ଚଉତା ବିନ୍ଧ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ଵରେ ମହାରଣା ସେବକମାନେ ଏସବୁ କାମକୁ ଆଗେଇ ନେଇଛନ୍ତି। ରୂପକାର ସେବକମାନେ ବି କୋଣଗୁଜ କାମ ଶେଷ କରିଛନ୍ତି। ତିନି ରଥର ମୁଖ୍ୟ ରୂପକାରଙ୍କ ନେତୃତ୍ଵରେ ରୂପକାର ସେବକମାନେ କାମକୁ ତ୍ୱରାନ୍ଵିତ କରିଛନ୍ତି। କୋଣଗୁଜ ପରେ ନାଟଗୁଡ଼ୁ ଓ ପଟାଗୁଜ କାମ ଆରମ୍ଭ ହେବ।
ସେପଟେ ରଥଖଳାରେ ପୋଖରିଆ କଣ୍ଟା କାମ ଅନୁକୂଳ ହୋଇଛି। କମାର ସେବକମାନେ ଦଣ୍ଟାକଣ୍ଟା, ଗୟଳ କଣ୍ଟା ସହ ପୋଖରିଆ କଣ୍ଟା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ତୁମ୍ବ ଭିତରେ ଅଖ ଓ ଦଣ୍ଡାକୁ ସଂଯୋଗ ପାଇଁ ବାଡ଼ିଆ ହୋଇଥାଏ। ତିନି ରଥ ପାଇଁ ୧୧୫ଟି ପୋଖରିଆ କଣ୍ଟା ଆବଶ୍ୟକ। ନନ୍ଦିଘୋଷ ରଥ ପାଇଁ ୪୮ଟି ପୋଖରିଆ କଣ୍ଟା ଆବଶ୍ୟକ ଥିବାବେଳେ ତାଳଧ୍ୱଜ ଓ ଦର୍ପଦଳନ ରଥ ପାଇଁ ଯଥାକ୍ରମେ ୩୭ଟି ଓ ୩୦ଟି ପୋଖରିଆ କଣ୍ଟା ଆବଶ୍ୟକ।

ସମ୍ବନ୍ଧିତ ଖବର