ରଥ ଖଳା ହାଲ୍‌ଚାଲ୍‌ : ପୋଟଳ ଓରା, ତାରେଣୀ କାମ ଆରମ୍ଭ; ସରିଲା ଚାଙ୍ଗଡ଼ା କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୪୦ ଦିନ ପୂରିଥିବା ବେଳେ ପୋଟଳ ଓରା ଓ ପୋଟଳ ତାରେଣୀ କାମ ଅନୁକୂଳ ହୋଇଛି। ମହାରଣା ସେବକମାନେ ଆଜି ଏହି କାମକୁ ଆଗେଇ ନେଇଛନ୍ତି। ୧୨ ଫୁଟିଆ କାଠରୁ ପ୍ରସ୍ତୁତ ହେଉଥିବା ଏହି ପୋଟଳ ଓରା ଓ ତାରେଣୀ ରଥ ଶୀର୍ଷରେ ଲାଗିବ। ଗତକାଲି ରଥଖଳାରେ ନଡ଼ିଆ ବାଡ଼େଇ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ଦଣ୍ଡା କାଠ ଅନୁକୂଳ କରିବା ପରେ ମହାରଣା ସେବକମାନେ ଆଜି ଏହି କାମରେ ତତ୍ପରତା ଦେଖାଇଛନ୍ତି। ତିନିର ରଥର ମହାରଣା ସେବକ ଅଲଗା ଅଲଗା ତିନି ରଥ ପାଇଁ ଦଣ୍ଡା କାଠ ହାଣୁଥିବା ଦେଖିବାକୁ ମିଳିଛି। ସେହିପରି କଟକ କରତକଳରୁ ଚଉଦ ନାହାକା କାଠ ରଥଖଳାରେ ପହଞ୍ଚିଛି। ଆଜି ସୁଦ୍ଧା ନନ୍ଦିଘୋଷ ରଥର ୧୪ଟି ଚଉଦ ନାହାକାରୁ ୪ଟି ଚଉଦ ନାହାକା କାମ ଶେଷ ହୋଇଛି। ସେହି ଅନୁସାରେ ତାଳଧ୍ୱଜ ଓ ଦର୍ପଦଳନ ରଥର ଚଉଦ ନାହାକ କାମ ଆଗେଇ ଚାଲିଛି। ନନ୍ଦିଘୋଷ ରଥ ଓ ତାଳଧ୍ୱଜ ରଥ ପାଇଁ ୧୬ଟି ଲେଖା ଓ ଦର୍ପଦଳନ ରଥ ପାଇଁ ୧୨ଟି ଯୋଖା ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ନନ୍ଦିଘୋଷ ରଥର ୯ଟି ଯୋଖା କାମ ସରିଛି। ଏହା ବାଦ ମୁହାଣ୍ଟ ଓ ପାର୍ଶ୍ୱ ମୁହାଣ୍ଟ କାମ ବି ଆଗେଇ ଚାଲିଛି। ମହାରଣା ସେବକମାନେ ମୁହାଣ୍ଟରେ ବିନ୍ଧ କାମକୁ ଆଗେଇ ନେଇଛନ୍ତି। ରୂପକାର ସେବକମାନେ ବି କୋଣଗୁଜ କାମ ଶେଷ ପରେ ନାଟଗୁଡ଼ୁ ଓ ଅନ୍ୟାନ୍ୟ କାମ ଆରମ୍ଭ କରିଥିବା ଜଣାପଡ଼ିଛି। କମାର ସେବକମାନେ ଦଣ୍ଡାକଣ୍ଟା, ପୋଖରିଆ ଓ ଗୟଳ କଣ୍ଟା କାମକୁ ଆଗେଇ ନେଇଛନ୍ତି। ପରବର୍ତୀ ସମୟରେ ପୋଟଳ କଣ୍ଟା କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର