ରଥ ଖଳା ହାଲଚାଲ : ସରିଲା ଶେଷ ତିନି ଚକର ବିଲେଇ ବାଡ଼ିଆ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୪୩ ଦିନ ପୂରିଛି। ଆଜି ତିନି ରଥର ବିଶ୍ୱକର୍ମାମାନଙ୍କ ନେତୃତ୍ଵରେ ମହାରଣା ସେବକମାନେ ଚକ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଗତକାଲି ତିନି ରଥର ଶେଷ ତିନି ଚକର ଶିଙ୍ଗଡ଼ା ବାଡ଼ିଆ କାମ ଶେଷ ପରେ ଆଜି ପଇବିନ୍ଧ କାମ ଶେଷ ହୋଇଛି। ମହାରଣା ସେବକମାନେ ଏହି କାମକୁ ଆଜି ଶେଷ କରିଛନ୍ତି।

ପଇବିନ୍ଧ ଶେଷ ପରେ ବିଶ୍ୱକର୍ମାମାନଙ୍କ ନିର୍ଦେଶକ୍ରମେ ଭୋଇ ସେବକମାନେ ବିଲେଇ ବାଡ଼ିଆ କାମ ବି ଶେଷ କରିଛନ୍ତି। ବିଲେଇ ବାଡ଼ିଆ ହୋଇ ପଇଠ କାମ ଶେଷ ହୋଇଛି। ନନ୍ଦିଘୋଷ ରଥ ପାଇଁ ୧୬ଟି ଚକ ଆବଶ୍ୟକ ଥିବାବେଳେ ତାଳଧ୍ୱଜ ରଥ ପାଇଁ ୧୪ଟି ଓ ଦର୍ପଦଳନ ରଥ ପାଇଁ ୧୨ଟି ଚକ ଆବଶ୍ୟକ। ପୂର୍ବରୁ ନନ୍ଦିଘୋଷ ରଥର ୧୫ଟି, ତାଳଧ୍ୱଜ ରଥର ୧୩ଟି ଓ ଦର୍ପଦଳନ ରଥର ୧୧ଟି ଚକ କାମ ଶେଷ ହୋଇଥିଲା। ତିନି ରଥର ଗୋଟିଏ ଲେଖାଏଁ ଚକ ବାକି ରହିଥିଲା। ଗତକାଲି ଯନ୍ତାଗାଡ଼ିରେ ତିନି ରଥର ଶେଷ ତିନି ଚକର ଶିଙ୍ଗଡ଼ା ବାଡ଼ିଆ କାମ ଶେଷ ହୋଇଥିଲା। ଆଜି ତିନି ରଥର ମହାରଣା ସେବକମାନେ ଅଲଗା ଅଲଗା ମାପ ଅନୁଯାୟୀ ପଇ ବିନ୍ଧ କରିଥିଲେ। ପରେ ବିଲେଇ ବାଡ଼ିଆ ଓ ପଇଠ କାମ ଶେଷ ହୋଇଥିଲା। ଆସନ୍ତାକାଲି ସୁଦ୍ଧା ତିନିରଥର ୪୨ ଚକ କାମ ଶେଷ ହୋଇଯିବାର ଅନୁମାନ କରାଯାଉଛି। ୪୨ ଚକ କାମ ଶେଷ ପରେ ଏଥର ଯୋଡ଼ା ଆଷାଢ଼ ପଡ଼ୁଥିବାରୁ ଶୀତଳଷଷ୍ଠୀ ପୂର୍ବରୁ ମହାରଣା ସେବକମାନେ ଚକଡେରା କାମ ସାରିବାକୁ ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର