ରଥ ଖଳା ହାଲ୍‌ଚାଲ୍‌ : ଶେଷ ପର୍ଯ୍ୟାୟରେ ପ୍ରଥମ ଭୂଇଁ କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୮ ଦିନ ପୂରିଛି। ଗତକାଲି ଛନ୍ଦା ଗୟଳ କାମ ଶେଷ ପରେ ଆଜି ମହାରଣା ସେବକମାନେ ଯୋକାରେ କଣ୍ଟା ବାଡ଼ିଆ କାମ ଶେଷ କରିଛନ୍ତି। ତିନି ରଥ ପାଇଁ ୪୪ଟି ଯୋକା ଆବଶ୍ୟକ ଥିବା ବେଳେ ନନ୍ଦିଘୋଷ ଓ ତାଳଧ୍ୱଜ ରଥ ପାଇଁ ୧୬ଟି ଲେଖା ଓ ଦର୍ପଦଳନ ରଥ ପାଇଁ ୧୨ଟି ଯୋକା ଆବଶ୍ୟକ। ଗତକାଲି ଯୋକାରେ କଣ୍ଟା ବାଡ଼ିଆ କାମ ଅଳ୍ପ କିଛି ଆଗେଇ ଥିଲା। ଆଜି ତିନି ରଥର ଯୋକା କାମ ଶେଷ ହୋଇଛି। ୪୪ଟି ଯୋକା କାମ ଶେଷ ପରେ ମହାରଣା ସେବକମାନେ ଆଜି ତିନି ରଥର ପ୍ରମୁଖ କାମ ଭାବେ ଗଣାଯାଉଥିବା ପ୍ରଥମ ଭୂଇଁ କାମ ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ପ୍ରଥମ ଭୂଇଁ, ଦ୍ଵିତୀୟ ଭୂଇଁ ଓ ତୃତୀୟ ଭୂଇଁ କାମ ଆବଶ୍ୟକ ଥିବାବେଳେ ଆଜି ପ୍ରଥମ ଭୂଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସୁଦ୍ଧା ପ୍ରଥମ ଭୂଇଁ କାମ ଶେଷ ହେବା ପରେ ବାକି ଦୁଇ ଭୂଇଁ କାମ ଆରମ୍ଭ ହେବ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠ ଯୋଗାଣରେ ବିଳମ୍ବ ଯୋଗୁ ପ୍ରଥମ ଭୂଇଁ କାମ ସାମାନ୍ୟ ବିଳମ୍ବିତ ହୋଇଛି। ଯଦି କାଠ ଯୋଗାଣ ଠିକ୍‌ ସମୟରେ ହେବ ଆସନ୍ତା ୧୦ ଦିନ ଭିତରେ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ମହାରଣା ସେବକମାନେ ପ୍ରକାଶ କରିଛନ୍ତି। ଭୂଇଁ କାମ ଶେଷ ପରେ ମହାରଣା ସେବକମାନେ ଢ଼ମକ, ଚଉଦ ନାହାକା କାମ ଆଗେଇବା ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ରୂପକାର ସେବକମାନେ ନାଟଗୁଡ଼ୁ ଓ ସିଂହାସନ କାମକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ ତିନି ରଥ ପାଇଁ ଆବଶ୍ୟକ ବିଭିନ୍ନ କଣ୍ଟା କାମ ବି ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର