ରଥ ଖଳା ହାଲ୍‌ଚାଲ୍‌ : ଦ୍ଵିତୀୟ ଭୂଇଁ କାମ ଆରମ୍ଭ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୯ ଦିନ ପୂରିଛି। ଗତକାଲି ପ୍ରଥମ ଭୂଇଁ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିବା ମହାରଣା ସେବକମାନେ ଆଜି ଏହାକୁ ଶେଷ କରିଛନ୍ତି। ପ୍ରଥମ ଭୂଇଁ କାମ ଶେଷ ପରେ ଆଜିଠାରୁ ଦ୍ଵିତୀୟ ଭୂଇଁ କାମ ଆରମ୍ଭ ହୋଇଛି। ଭୋଇ ସେବକଙ୍କ ସହଯୋଗରେ ମହାରଣା ସେବକମାନେ ଦ୍ଵିତୀୟ ଭୂଇଁ କାମ ପାଇଁ କାଠ ସବୁ ନମ୍ବରିଂ କରିବା ଶେଷ କରିଛନ୍ତି। ଆସନ୍ତାକାଲିଠାରୁ ଏହାର ସଂଯୋଗ କାମ ଆରମ୍ଭ ହେବ। ଦ୍ଵିତୀୟ ଭୂଇଁ କାମ ଶେଷ ପରେ ତୃତୀୟ ଭୂଇଁ କାମ ଆରମ୍ଭ ହେବ। ସେପଟେ ଚଣାକ କାଠ ବିନ୍ଧ କାମ ଓ କଣ୍ଟା ବାଡ଼ିଆ କାମ ଆରମ୍ଭ ହୋଇଛି। ଅନ୍ୟପଟେ ଆଜ୍ଞାମାଳ ଡେରା ପାଇଁ ଧ୍ୱଜବତା କାମ ଆରମ୍ଭ ହୋଇଛି। ଏହା ପରେ ପୋଟଳ, ଦୁଆର, ବେଦୀ ସିଂହାସନ ଓ ଅନ୍ୟାନ୍ୟ କାମ ଆରମ୍ଭ ହେବ। ରୂପକାର ସେବକମାନେ ନାଟଗୁଡ଼ୁ କାମକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ କମାର ସେବକମାନେ ପୋଟଳ କଣ୍ଟା ଓ ଅନ୍ୟାନ୍ୟ କଣ୍ଟା କାମକୁ ତ୍ୱରାନ୍ଵିତ କରିଛନ୍ତି।

ସମ୍ବନ୍ଧିତ ଖବର