ରଥ ଖଳା ହାଲଚାଲ : ପଡ଼ିଲା ଖଦି ଓରା କାଠ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୬୦ ଦିନ ପୂରିଛି। ଆଜି ଦିନ ଶେଷ ସୁଦ୍ଧା ମହାରଣା ସେବକମାନେ ଦ୍ଵିତୀୟ ଭୂଇଁ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଦ୍ଵିତୀୟ ଭୂଇଁ ପାଇଁ କିଛି କାଠ ଆବଶ୍ୟକ ଥିବାବେଳେ ଏହି କାଠ ରଥଖଳାରେ ପଡ଼ିବା ପରେ ନମ୍ବରିଂ ହୋଇ ସଂଯୋଗ ପରେ ଦ୍ଵିତୀୟ ଭୂଇଁ କାମ ଶେଷ ହେବ। ଏହା ସହ ମହାରଣା ସେବକମାନେ ଆଜିଠାରୁ ଚଉଦ ନାହାକା କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଚଉଦ ନାହାକା ପାଇଁ ଆବଶ୍ୟକ ଖଦି ଓରା କାଠ (ନଡ଼ିଆ କାଠ) ଆଜି ରଥଖଳାରେ ପଡ଼ିଛି। ରଥ ପିଛା ୯ଟି ଲେଖାଏ ଖଦି ଓରା କାଠ ଆବଶ୍ୟକ ଥିବାବେଳେ ଭୋଇ ସେବକମାନେ ଏହି କାଠ ଆଜି ରଥଖଳାରେ ପକାଇଛନ୍ତି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପାଇଁ ସମୁଦାୟ ୨୭ଟି ଖଦି ଓରା କାଠ ରଥଖଳାରେ ପଡ଼ିଛି। ଆସନ୍ତାକାଲିଠାରୁ ଚଉଦ ନାହାକା କାମ ଆରମ୍ଭ ପାଇଁ ମହାରଣା ସେବକମାନେ ନିଷ୍ପତ୍ତି ନେଇଛନ୍ତି। ଚଉଦନାହାକା ସହ ଏକ ସଙ୍ଗେ ଦ୍ଵିତୀୟ ଭୂଇଁ କାମ ବି ଶେଷ କରିବାକୁ ଯୋଜନା ରଖିଛନ୍ତି। ଦ୍ଵିତୀୟ ଭୂଇଁ କାମ ଶେଷ ପରେ ତୃତୀୟ ଭୂଇଁ କାମ ଆରମ୍ଭ ହେବ। ଅନ୍ୟପଟେ ତିନି ରଥର ଦୁଆର ପାଇଁ ଗାରେଡ଼ି ବିନ୍ଧ କାମ ଆରମ୍ଭ ହୋଇଛି। ମହାରଣା ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଯଦି ସଠିକ୍‌ ସମୟରେ କାଠ ରଥଖଳାକୁ ଯୋଗାଇ ଦିଆଯାଏ, ତେବେ ଆଉ ୧୦ ରୁ ୧୫ ଦିନ ଭିତରେ ରଥକାମକୁ ସାରିଦେବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ସେପଟେ ଦୋଳବେଦି କମାରଶାଳରେ ପୋଟଳ କଣ୍ଟା, ଦଣ୍ଡାକଣ୍ଟା ଓ ଅନ୍ୟାନ୍ୟ କଣ୍ଟା କାମ ଆଗେଇ ଚାଲିଛି। ରୂପକାର ସେବକମାନେ ବି ନାଟଗୁଡ଼ୁ ଓ ସିଂହାସନ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ସମ୍ବନ୍ଧିତ ଖବର