ରଥ ଖଳା ହାଲ୍‌ଚାଲ୍‌ : ସରିଲା ତିନି ଭୂଇଁ କାମ; ପଡ଼ିଲା ଢମକ କାଠ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୬୧ ଦିନ ପୂରିଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ପ୍ରଥମ ଭୂଇଁ ଓ ଦ୍ଵିତୀୟ ଭୂଇଁ କାମ ଶେଷ ପରେ ଆଜି ତୃତୀୟ ଭୂଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକମାନେ ତୃତୀୟ ଭୂଇଁ ପାଇଁ ଆବଶ୍ୟକ କାଠ ଯୋଗାଇ ଦେବା ପରେ ମହାରଣା ସେବକମାନେ ଏହାର ନମ୍ବରିଂ କରିଛନ୍ତି। ଆସନ୍ତାକାଲି ଢମକ କଣ୍ଟା ବାଡ଼ିଆ ପରେ ରଥ ଉପରେ ଟୁଙ୍ଗରା କାମ ଶେଷ କରି ତୃତୀୟ ଭୂଇଁ କାଠ ଖଞ୍ଜା ଶେଷ ହେବ। ଢମକ କଣ୍ଟା ବାଡ଼ିଆ ପାଇଁ ଆବଶ୍ୟକ କାଠ ଆଜି ରଥଖଳାରେ ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଆଗିଆଣି ଢ଼ମକ ପାଇଁ କାଠ ଯୋଗାଇ ଦିଆଯାଇଛି। ଭୋଇ ସେବକମାନେ ଆବଶ୍ୟକ ଅନୁଯାୟୀ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନଙ୍କୁ ଢମକ କାଠ ଯୋଗାଇ ଦେଇଛନ୍ତି। ପରବର୍ତୀ ସମୟରେ ପଛିଆଣି ଢମକ ପାଇଁ କାଠ ପଡ଼ିବ। ସେପଟେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ୪ଟି ଲେଖା ଦ୍ଵାର ଥିବାବେଳେ ଆଜି ଆବଶ୍ୟକ ଅଁଳା, ଗାରେଡ଼ି କାମ ଶେଷ ହୋଇଛି। ତୃତୀୟ ଭୂଇଁ କାଠ ଖଞ୍ଜା ଶେଷ ପରେ ଚାଳି କାମ ଆରମ୍ଭ ହେବ। ପୋଟଳ, ଟଭା, କଇଁଚି, ଚାଙ୍ଗଡ଼ା ଆଦି କାମ ଶେଷ ହେବ। ସେପଟେ ରୂପକାର ସେବକମାନେ ବି ସେମାନଙ୍କ କାମକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ ବି ରଥ କାମ ପାଇଁ ଆବଶ୍ୟକ କଣ୍ଟା ତିଆରି କାମ ଜୋରସୋରରେ ଚାଲିଛି। ପ୍ରଥମେ ଅରକଣ୍ଟା, ଦଣ୍ଡାକଣ୍ଟା, ଗୟଳ କଣ୍ଟା, ପନ୍ଦାରୀ, ବଳା, ବନ୍ଦାରୀ ଚାବି ଆଦି ଯୋଗାଇ ଦେବା ପରେ ଏବେ ପାରାଭାଡ଼ି କଣ୍ଟା ପ୍ରସ୍ତୁତିରେ କମାର ସେବକମାନେ ତତ୍ପରତା ଦେଖାଇଛନ୍ତି। ପ୍ରାୟ ଅଢ଼େଇ ଫୁଟର ଏହି କଣ୍ଟା ତିନି ରଥ ପାଇଁ ୧୨ଟି ଆବଶ୍ୟକ। ନନ୍ଦିଘୋଷ ରଥରେ ୪ଟି, ତାଳଧ୍ୱଜ ରଥରେ ୪ଟି ଓ ଦର୍ପଦଳନ ରଥରେ ୪ଟି କଣ୍ଟା ଆବଶ୍ୟକ। ଆଜି କମାର ସେବକମାନେ ଦୋଳବେଦି କମାରଶାଳରେ ଏହି କଣ୍ଟା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କଣ୍ଟାଠାରୁ ଏହି କଣ୍ଟା ଲମ୍ବାରେ ସବୁଠୁ ବଡ଼ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଛନ୍ତି। ପାରାଭାଡ଼ି କଣ୍ଟା ଶେଷ ପରେ ପରବର୍ତୀ ସମୟରେ ବାକି କଣ୍ଟା ପ୍ରସ୍ତୁତି ହେବ ବୋଲି ତିନି ରଥର ଓଝା ସେବକମାନେ କହିଛନ୍ତି।

ସମ୍ବନ୍ଧିତ ଖବର