ରଥ ଖଳା ହାଲଚାଲ : ତିନି ରଥ ପାଇଁ ୧୨ ଚନ୍ଦ୍ରଶାଳି କାମ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୬୮ ଦିନ ପୂରିଛି। ଆଜି ଦିନ ଶେଷ ସୁଦ୍ଧା ମହାରଣା ସେବକମାନେ ଚନ୍ଦ୍ରଶାଳି କାମ ଶେଷ କରିଛନ୍ତି। ଚନ୍ଦ୍ରଶାଳି ରଥର ଦୁଆର ବନ୍ଧରେ ଲାଗିଥାଏ। ଗୋଟିଏ ରଥରେ ଚାରୋଟି ଦୁଆର ରହିଥିବାରୁ ଏଥି ପାଇଁ ୪ଟି ଚନ୍ଦ୍ରଶାଳି ଆବଶ୍ୟକ ପଡ଼ିଥାଏ। ଏପରି ହିସାବ କଲେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପାଇଁ ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ। ଆଜି ଦିନ ଶେଷ ସୁଦ୍ଧା ୧୨ ଚନ୍ଦ୍ରଶାଳି କାମ ମହାରଣା ସେବକମାନେ ଶେଷ କରିଛନ୍ତି। ସେପଟେ କଳସ ମୁଣ୍ଡି (ରଥର ଶୀର୍ଷରେ ଲାଗେ) କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ପିଛା ଗୋଟିଏ କଳସ ମୁଣ୍ଡି ଆବଶ୍ୟକ ରହିଥିବା ବେଳେ ମହାରଣା ସେବକମାନେ ଆଜି ସୁଦ୍ଧା ନନ୍ଦିଘୋଷ ଓ ତାଳଧ୍ୱଜ ରଥର କଳସ ମୁଣ୍ଡି କାମ ଶେଷ କରିଛନ୍ତି। ଦର୍ପଦଳନ ରଥର କଳସ ମୁଣ୍ଡି କାମ ଆସନ୍ତାକାଲି ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ରଥ ଉପରେ ଆଲୁମିନିୟମ୍‌ର ଚଦର ଲଗାଯିବା ପରେ କଳସ ସଂଯୋଗ କାମ ଆରମ୍ଭ ହେବ। ଆଜି ରଥର ପଛ ତାଗ କଣ୍ଟା ପଡ଼ିଛି। କଣ୍ଟାବାଡ଼ିଆ ଶେଷ ପରେ ପଟା ପଡ଼ିବ। ଅନ୍ୟପଟେ କତରା କାମ ବି ଆଗେଇ ଚାଲିଛି। ତିନି ରଥର ଦୁଇଟି ଲେଖା କତରା କାମ ଶେଷ ହୋଇଛି। ପରେ ପର୍ଯ୍ୟାୟକ୍ରମେ ପ୍ରଭା ଓ ଅନ୍ୟାନ୍ୟ କାମ ଶେଷ ହେବ। ସେପଟେ ତିନି ରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ କାମ ବି ଆଗେଇ ଚାଲିଛି। ରୂପକାର ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ରଥରେ ସଂଯୋଗ ହେବାକୁ ଥିବା ଅନ୍ୟାନ୍ୟ କାମ ବି ରୂପକାର ସେବକମାନେ ଆଗେଇ ନେଉଛନ୍ତି।

ସମ୍ବନ୍ଧିତ ଖବର