ରଥ ଖଳା ହାଲ୍‌ଚାଲ୍‌ : ଆଗେଇ ଚାଲିଛି ଦୁଆର କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୭୦ ଦିନ ପୂରିଛି। ଇତିମଧ୍ୟରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନ ଆଜି ଦୁଆର କାମକୁ ଆଗେଇ ନେଇଛନ୍ତି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ୪ଟି ଲେଖା ଦୁଆର ଆବଶ୍ୟକ ଥିବା ବେଳେ ଆଜି ସୁଦ୍ଧା ଦୁଇଟି ଲେଖା ଦୁଆର କାମ ଶେଷ ହୋଇଛି। ଗତକାଲି ତିନି ରଥର ଗୋଟିଏ ଲେଖା ଦୁଆର କାମ ଶେଷ ହୋଇଥିଲା। ଆଜି ଆଉ ଗୋଟିଏ ଲେଖା ଦୁଆର କାମ ଶେଷ ହୋଇଛି। ସେପଟେ କତରା ଓ ଅନ୍ୟାନ୍ୟ କାମ ଆଗେଇ ଚାଲିଛି। କଇଁଚି କାମ ବି ମହାରଣା ସେବକମାନେ ଆଗେଇ ନେଇଛନ୍ତି। ରୂପକାର ସେବକମାନେ ରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ନୂଆ ରୂପ ଦେବାରେ ତତ୍ପରତା ଦେଖାଇଛନ୍ତି। ନବକଳେବର ସମୟରେ ନିର୍ମିତ ପାର୍ଶ୍ୱ ଦେବାଦେବୀ, ଶୁଆ ଓ ଅନ୍ୟାନ୍ୟ ଜିନିଷରେ ରଙ୍ଗ ଦେବାରେ ରୂପକାର ସେବକମାନେ ନିମଗ୍ନ ଥିବା ଦେଖିବାକୁ ମିଳିଛି। ଦୋଳବେଦି କମାରଶାଳରେ ଆବଶ୍ୟକ କଣ୍ଟା ପ୍ରସ୍ତୁତି କାମ ବି ଆଗେଇ ଚାଲିଛି। ଅଧାରୁ ଅଧିକ କଣ୍ଟା କାମ ଶେଷ ହୋଇଥିବା ବେଳେ ବାକି କଣ୍ଟା ଓ ଲୌହସାମଗ୍ରୀ କାମକୁ ଶେଷ କରିବାରେ କମାର ସେବକମାନେ ତତ୍ପରତା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର