ପୁରୀ : ରଥ ନିର୍ମାଣ ପ୍ରାରମ୍ଭିକ କାର୍ଯ୍ୟ ଭାବେ ଚକଡେରା କାମ ଶେଷ ହେବ। ଏ ନେଇ ବଡ଼ଦାଣ୍ଡ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ବିଶ୍ବକର୍ମାମାନେ ଏ ଭିତରେ ଚକ ଓ ଅଖ କାମକୁ ଶେଷ କରିଛନ୍ତି। ଚକ ଓ ଅଖକୁ ନେଇ ଯାହା କିଛି ଛୋଟ ଛୋଟ କାମ ବାକି ରହିଛି ତାକୁ ପୂର୍ଣ୍ଣ ରୂପ ଦେବାରେ ଲାଗି ପଡ଼ିଛନ୍ତି ମହାରଣାମାନେ। ଅନ୍ୟପଟେ ବିଶ୍ବକର୍ମାମାନେ ଦଣ୍ଡାହଣା କାମକୁ ଆଗେଇ ନେଇଛନ୍ତି। ତିନି ରଥ ପାଇଁ ଭିନ୍ନ ଭିନ୍ନ ଦଣ୍ଡା ହଣାଯାଉଛି। ସେପଟେ ଚକକାମ ଶେଷ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହାକୁ ଘୋଡ଼ାଇ ରଖାଯାଇଛି। ଖରାରେ ଚକକୁ ଅକ୍ଷତ ରଖିବା ପାଇଁ ଓଦା ଚାଞ୍ଛିକୁ ଏହା ଉପରେ ଘୋଡ଼ାଇ ରଖାଯାଇଛି।ଅନେକ ସମୟରେ ପ୍ରଚଣ୍ଡ ଖରାରେ ଚକରେ ଫାଟ ସୃଷ୍ଟି ହୋଇଥାଏ। ଏହି ଆଶଙ୍କାକୁ ଏଡ଼ାଇବା ପାଇଁ ଭୋଇ ସେବକମାନେ ଚକକୁ ଏପରି ଘୋଡ଼ାଇ ରଖିଛନ୍ତି। ସେପଟେ ଚିତ୍ରକର ସେବକଙ୍କ ଦ୍ବାରା ଗୁଜ କାମ ଆଗେଇ ଚାଲିଛି। କୋଣଗୁଜ, ଜଳଯନ୍ତ୍ର ଶେଷ କରି ପଟାଗୁଜ କାମ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଚିତ୍ରକର ସେବକମାନେ। ଦୋଳବେଦି କମାରଶାଳରେ ଓଝା ସେବକମାନେ କଣ୍ଟାକାମକୁ ଆଗେଇ ନେଇଛନ୍ତି।
ରଥଖଳା ଚଳଚଞ୍ଚଳ : ସରିଲା ଚକକାମ
/sambad/media/post_attachments/wp-content/uploads/2019/06/ratha-chak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)