ପୁରୀ : ଆଉ କିଛି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ ରଥଖଳା। ମହାରଣା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଇଛନ୍ତି। ଏହା ଭିତରେ ଚକ ଓ ଅଖ କାମ ଶେଷ ହୋଇଥିବା ବେଳେ ଏହାକୁ ଅକ୍ଷତ ରଖିବା ପାଇଁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ଚାଞ୍ଛିର ବ୍ୟବସ୍ଥା କରିଛନ୍ତି। ନିର୍ମାଣ ସରିଥିବା ଚକ ଓ ଅଖକୁ ରଥଖଳା ନିକଟରେ ଚାଞ୍ଛି ଘୋଡ଼ାଇ ରଖାଯାଇଛି। ଯାହାଦ୍ବାରା ସୂର୍ଯ୍ୟଙ୍କ ପ୍ରଚଣ୍ଡ ଖରାରୁ ଚକଗୁଡ଼ିକ ସୁରକ୍ଷିତ ରହିଛି। ଅନ୍ୟଥା ଏହା ଫାଟିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ଚିତ୍ରକର ସେବକମାନେ ଗୁଜ ଓ ଅନ୍ୟାନ୍ୟ କାମକୁ ଆଗେଇ ନେଇଥିବା ବେଳେ ଓଝା ସେବକମାନେ କଣ୍ଟା କାମକୁ ଦ୍ବରାନ୍ବିତ କରିଛନ୍ତି। ପରମ୍ପରା ମୁତାବକ, ଗୁଆଲି ଯାତ୍ରାରେ ବାହାରିଥିବା ପଞ୍ଚ ମହାଦେବଙ୍କୁ ବିଳମ୍ବିତ ରାତିରେ ଶ୍ରୀନଅରଠାରେ ପନ୍ତି ଭୋଗ ପରେ ରଥଖଳା ନିକଟରେ ଚର୍ଚ୍ଚିକା ଠାକୁରାଣୀଙ୍କ ନିକଟରେ ପନ୍ତିଭୋଗ କରାଯାଇଛି। ଭୋଇ ସେବକ ଓ ମହାରଣା ସେବକମାନେ ବର୍ଷ ବର୍ଷର ଏହି ପରମ୍ପରାକୁ ଯଥାରୀତି ସଂପନ୍ନ କରିଛନ୍ତି। ଅନ୍ୟପଟେ ଆସନ୍ତାକାଲି ଚକଡେରା କାମ ଶେଷ ହେଉଛି। ଏଥି ପାଇଁ ଭୋଇ ସେବକମାନେ ସମସ୍ତ ଚକ ଓ ଅଖକୁ ଏକତ୍ର କରି ରଖିଛନ୍ତି। ଚକଅଖ ଡେରା କାମ ସରିବା ପରେ ମହାରଣା ସେବକମାନେ ଅନ୍ୟ କାମକୁ ଆଗେଇ ନେବାର ପରମ୍ପରା ରହିଛି।
ରଥଖଳା ଚଳଚଞ୍ଚଳ : ଆଜି ଚକଡେରା
/sambad/media/post_attachments/wp-content/uploads/2019/06/Rathakhala1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)