ପୁରୀ : ଆଉ ଅଳ୍ପ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭୋଇ ସେବକ, ମହାରଣା ସେବକ, ଚିତ୍ରକର ସେବକ, ଦର୍ଜୀ ସେବକ, ଓଝା ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ପର୍ଯ୍ୟାୟକ୍ରମେ ରଥକାମ ଆଗେଇ ଚାଲିଥିବାବେଳେ ଆଜି ରଥଖଳାରେ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ଦଣ୍ଡା ଉଠିଛି। ଚକ ଓ ଅଖ ସଂଯୋଗ ପରେ ଡେରା ହୋଇଥିବା ଚକା ଉପରକୁ ଦଣ୍ଡା ଉଠାଯାଇଛି। ମୋଡ଼ା ପଡ଼ିବା(ଖୋପ ହେବା) ପରେ ଗୁଜ, ଜଳଯନ୍ତ୍ର ଆଦି ସଂଯୋଗ କରାଯାଇଛି। ପରେ ଆଗିଆଣି ଓ ପଛିଆଣି ନିରାଡ଼ି ସଂଯୋଗ କରାଯାଇଛି। ଗୁଣ୍ଠି ଲାଗିବା ପରେ ଓଝା ସେବକମାନେ ଆଜିଠାରୁ ଖଡ଼ିମୁହଁ କଣ୍ଟା ଅନୁକୂଳ କରିଛନ୍ତି। ସେପଟେ ପୋଖରିଆ କଣ୍ଟା ବି ଆଜିଠାରୁ ବାଡ଼ିଆ ହୋଇଛି। ଏ ନେଇ ଦୋଳବେଦି କମାରଶାଳ ଚଳଚଞ୍ଚଳ ହୋଇ ଉଠିଛି। ରଥଖଳା ବି ଚଳଚଞ୍ଚଳ ରହିଛି। ସେପଟେ ଚିତ୍ରକର ସେବକମାନେ ପଟାଗୁଜ ଓ ଅନ୍ୟାନ୍ୟ କାମକୁ ଆଗେଇ ନେଇଛନ୍ତି। ଆସନ୍ତାକାଲି ତିନି ରଥର ଗରଗରା ଉଠିବା କାର୍ଯ୍ୟକ୍ରମ ରହିଛି। ସେପଟେ ମହାରଣା ସେବକମାନେ ଚାରିନାହାକା କାମକୁ ଜୋରସୋରରେ ଆଗେଇ ନେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ସୁଧା ଚାରିନାହାକା କାମ ସରିବାର ପରମ୍ପରା ରହିଥିବାରୁ ଏହାକୁ ମହାରଣା ସେବକମାନେ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।
ରଥଖଳା ଚଳଚଞ୍ଚଳ : ଉଠିଲା ଦଣ୍ଡା, ଲାଗିଲା ନିରାଡ଼ି
/sambad/media/post_attachments/wp-content/uploads/2019/06/ratha-khala-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)