ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପରେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ପ୍ରଥମ ଦିନରେ କଡ଼ା କଟକଣା ଭିତରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ବ କାମ ଆରମ୍ଭ ହୋଇଛି। କରତିମାନେ ଲମ୍ବା ଲମ୍ବା କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ପରେ ତିନି ରଥର ବିଶ୍ୱକର୍ମାମାନେ ନିର୍ମାଣ କାମ ଆରମ୍ଭ କରିଛନ୍ତି। ୧୦ରୁ ଅଧିକ ମହାରଣାଙ୍କ ସମେତ ଭୋଇ ଓ କରତିଙ୍କୁ ନେଇ ପ୍ରଥମ ଦିନର ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ହାତକାଠିରେ ମାପ ହୋଇ ତୁମ୍ୱ ପାଇଁ କାଠ କଟା ଯିବା ପରେ ୧୦ ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ କୁଆଁରରେ କାଠର ମଞ୍ଜରେ ଗୋଲାକାର ଦାଗ ଦିଆଯାଇଛି। ଏହା ପରେ ନିହଣ, ମୁଗୁର ଓ ବାର୍ସି ସହାୟତାରେ କାଠ ଗଣ୍ଡିକୁ ହଣାଯାଇଛି।
ତିନି ରଥର ଗୋଟିଏ ଗୋଟିଏ ତୁମ୍ୱ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ତୁମ୍ବ ପାଇଁ ଆସିଥିବା ସମସ୍ତ କାଠକୁ ଖେଳାଇ ସମସ୍ତ ତୁମ୍ୱ ପାଇଁ କାଠ ବାହାର କରିବାକୁ ଯୋଜନା ରହିଛି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାରଣା ସେବକମାନେ ରଥ ନିର୍ମାଣ କାମ ଆରମ୍ଭ କରିଛନ୍ତି। ରଥଖଳାରେ ପ୍ରବେଶ ପୂର୍ବରୁ ସମସ୍ତ ମହାରଣା ସେବକମାନଙ୍କ ଥର୍ମାଲ୍ ସ୍କ୍ରୂନିଂ ସହ ସାନିଟାଇଜ୍ ବ୍ୟବସ୍ଥା କରାଯାଇଥିଲା। ରଥ ନିର୍ମାଣ ସମୟରେ କାଠକୁ ମାପ କରିବା ପାଇଁ କୌଣସି ଆଧୁନିକ କୌଶଳ ରଥଖଳାରେ ବ୍ୟବହାର ହୁଏନାହିଁ। ହାତ କାଠି, କୁଆଁର, ସୂତା ଆଦିରେ ମାପକୁ ଯୁଗ ଯୁଗ ଧରି ବିଶ୍ୱକର୍ମାମାନେ ବ୍ୟବହାର କରି ଆସୁଛନ୍ତି। ମୁଖ୍ୟ ବିଶ୍ୱକର୍ମାଙ୍କ ପୋଥିର ମାପ ଆଧାରରେ ହାତ, ଆଙ୍ଗୁଳି, ସୂତା ମାପ ଅବଲମ୍ୱନ କରି ତିନି ରଥର ବିଭିନ୍ନ ଅଂଶକୁ ନିର୍ମାଣ କରାଯାଉଛି।
ଏହି ପାରମ୍ପରିକ ମାପରେ ପ୍ରତ୍ୟେକ ଚକର ତୁମ୍ୱରେ ୧୬ଟି ଅର ଲାଗିବ। ତୁମ୍ୱ ନିର୍ମାଣ ପରେ ଏହି ଅରଗୁଡ଼ିକ ଖଞ୍ଜା ଯିବ। ଏଥିପାଇଁ ପ୍ରତ୍ୟେକ ତୁମ୍ୱରେ ୩୨ଟି ବିନ୍ଧ କରାଯିବ। ଏହା ପରେ ତୁମ୍ୱରେ ଅର ଯୋଡାଯିବ। ଅର ଉପରେ ପଈ ପଡିବ। ବିଶ୍ୱକର୍ମାମାନେ ପୁରୁଷ ପୁରୁଷ ଧରି ଏହି ପଦ୍ଧତି ଅନୁସରଣ କରି ରଥ ନିର୍ମାଣ କରି ଆସୁଛନ୍ତି। ତୁମ୍ୱ, ଅର ଓ ପଈ କାମ ସରିବା ଭିତରେ ତିନି ରଥର ଅଖ କାମ ଆରମ୍ଭ ହେବ।
ପ୍ରଥମ ଦିନରେ ଅଘଟଣ, ମୁଖ୍ୟ ବିଶ୍ବକର୍ମା ଆହତ
ପୁରୀ : ରଥ ନିର୍ମାଣର ପ୍ରଥମ ଦିନରେ ଆଜି ରଥଖଳାରେ ଅଘଟଣ ଘଟିଛି। ଆଜି ଅପରାହ୍ଣରେ ତୁମ୍ବ ପାଇଁ ବାରିଶିରେ କାଠ ହାଣିବା ବେଳେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ କୁମାର ମହାପାତ୍ର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ଶ୍ରୀମନ୍ଦିର ଆଶୁ ଚିକିତ୍ସା କେନ୍ଦ୍ରର ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚି ଔଷଧ ଲଗାଇବା ସହ ବ୍ୟାଣ୍ଡେଜ୍ କରିଛନ୍ତି।