ଚଳଚଞ୍ଚଳ ରଥଖଳା: ୪୨ରୁ ୨୬ ଚକ ଶେଷ, ସରିଲା ୨୧ ଅଖ କାମ

ପୁରୀ : ଚକଡେରା ଅନୁକୂଳ ପରେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ମହାରଣା, ଭୋଇ, ଓଝା, ରୂପକାର ପ୍ରମୁଖ ସେବକମାନେ ଦିନରାତି ‌ଏକ କରି ଦେଇଛନ୍ତି। ଗତକାଲି ସୁଦ୍ଧା ତିନି ରଥର ୪୨ ଚକରୁ ୨୧ ଚକ କାମ ‌ଶେଷ ହୋଇଥିଲା। ଆଜି ଆଉ ୫ ଚକ କାମ ଶେଷ ହୋଇଛି। ଏଭଳି ମୋଟ ୨୬ଟି ଚକ କାମ ‌ଶେଷ ହୋଇଛି। ଅନ୍ୟପଟେ ତିନି ରଥର ପାଇଁ ଆବଶ୍ୟକ ୨୧ଟି ଅଖ କାମ ଏ ଭିତ‌ରେ ଶେଷ ହୋଇଛି। ଅନ୍ୟପଟେ ତିନି ରଥର ପ୍ରଥମ ଭୂଇଁ ପାଇଁ ୮ଟି ଖମ୍ବୀରୁ ୬ଟି ଖମ୍ବୀର ଚଉପଟ ଓ ‌ସାଲ୍‌ କାମ ‌ଶେଷ ହୋଇଛି। ୮ଟି ଲେଖାଏଁ ସାଲଗୁଜରେ ସିଂହ ବିରାଳ ରୂପ ଖୋଦେଇ
ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପରେ ସିଂହାସନ ମୁହାଁଟି, ନାଟଗୋଡ଼(ରାକ୍ଷସ ବା ଗନ୍ଧର୍ବ ରୂପ ଖୋଦେଇ ହେବ) କାମ ଆରମ୍ଭ ହୋଇଛି।

ତିନି ରଥ ଚକ ଉପରେ ନଜର ପକାଇଲେ, ତାଳଧ୍ବଜ ରଥର ୮ଟି ଚକର ନିର୍ମାଣ ଶେଷ ହୋଇଥିବାବେଳେ ଦେବଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୧୦ଟି ଚକ ନିର୍ମାଣ ଶେଷ ହୋଇଛି। ଦୁଇଟି ଲେଖାଏଁ ଚକର ପ୍ରସ୍ତୁତି ଚାଲିଥିବାବେଳେ ଏଥିରେ ଅର, ପଇ, ପନ୍ଦାରି ଓ ପନ୍ଦାରି ବଳା ସଂଯ‌ୋଗ କାମ ଜାରି ରହିଛି। ସେହିଭଳି ତାଳଧ୍ବଜ ରଥର ୭ଟି ଅଖ, ଦେବଦଳନ ରଥର ୬ଟି ଅଖ ଓ ନନ୍ଦିଘୋଷ ରଥର ୮ଟି ଅଖ କାମ ଶେଷ ହୋଇଛି।

ଦୋଳବେଦି କମାରଶାଳରେ ଓଝା ସେବକମାନେ ତିନି ରଥର ଚକ ପାଇଁ ଆବଶ୍ୟକ ପନ୍ଦାରି ନିର୍ମାଣ ଶେଷ ‌ପରେ ଏବେ ଚାରିନାହାକା ପାଇଁ ଚଣାକ କଣ୍ଟା, ଗୟଳ ବାନ୍ଧେଣି ପାଇଁ ଯୋଖା ନିର୍ମାର କରୁଛନ୍ତି। ନନ୍ଦିଘୋଷ ରଥର ଦୁଆର ବନ୍ଧ ପାଇଁ କଣ୍ଟା ଓ ଗୟଳ ପାଇଁ ୧୬ ଏମଏମ କଣ୍ଟା ସହ ୧୦ ଏମଏମର ସିଙ୍ଗଡ଼ା କଣ୍ଟା ନିର୍ମାଣ ଜାରି ରହିଛି।

ସମ୍ବନ୍ଧିତ ଖବର