ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟରେ ବେଶ ଅଗ୍ରଗତି ଦେଖାଦେଇଛି। ଗତକାଲି ସୁଦ୍ଧା ତିନି ରଥର ୪୨ ଚକରୁ ୨୮ଟି ଚକ କାମ ଶେଷ ହୋଇଥିଲା। ରବିବାର କାମ ଶେଷ ସୁଦ୍ଧା ଆଉ ୫ଟି ଚକ ଶେଷ ହୋଇଛି। ଏପରି ମୋଟ ୩୩ଟି ଚକ କାମ ଶେଷ ହୋଇଛି। ତାଳଧ୍ବଜ ରଥର ଗୋଟିଏ, ଦେବଦଳନ ରଥର ଦୁଇଟି ଓ ନନ୍ଦିଘୋଷ ରଥର ଦୁଇଟି ଚକ ନିର୍ମାଣ ସରିଥିବାବେଳେ ବାକି ଚକ କାମ ଜାରି ରହିଛି। ଏଥିସହ ତିନି ରଥ ପାଇଁ ମୁଖ୍ୟ ମହାରଣାମାନଙ୍କୁ ୪ଟି ଲେଖାଏଁ ଚାରିନାହାକା କାଠ ଯୋଗାଇ ଦିଆଯିବା ପରେ ରବିବାର ଏହାର ଅନୁକୂଳ କାମ ଆରମ୍ଭ ହୋଇଛି। ୨୦ ଫୁଟ ଲମ୍ବର ଏହି କାଠ ଆଜି ଚଉପଟ କରାଯାଇଛି। ତିନି ମହାରଣା ଦୁଇଟି ଲେଖାଏଁ କାଠର ଚଉପଟ କାମ ସାରି ଆଠ ଅଂଶୀ କାମ ଶେଷ କରିଛନ୍ତି।
/sambad/media/post_attachments/wp-content/uploads/2021/06/ee5f7faa-9653-4957-8628-986ce78bd334.jpg)
ଏଥିସହ ତିନି ରଥର ମହାରଣାମାନଙ୍କୁ ୧୧ଟି ଲେଖାଏଁ ଦଣ୍ଡାକାଠ ଯୋଗାଇ ଦିଆଯାଇଛି। ଆଜି ଏହାର ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହେବ। ରଥ ଫ୍ରେମ୍ର ପ୍ରଥମ ପର୍ଯ୍ୟାୟ ଦଣ୍ଡା ପଡିବା ପରେ ଏହା ଅଖକୁ ବାନ୍ଧି ରଖିବାରେ ସାହାଯ୍ୟ କରେ। ଅଖ ଉପରେ ୫ଟି ଦଣ୍ଡା ଏବଂ ୪ଟି ପାର୍ଶ୍ୱ ଦଣ୍ଡା, ଏହିପରି ୯ଟି ଦଣ୍ଡା ପଡି ସାରିବା ପରେ ଏହି ଦଣ୍ଡା ଉପରୁ ରଥ ଉପରି ଭାଗ କାମ ଆରମ୍ଭ ହେବ। କୋଣଗୁଜ ସେଟିଙ୍ଗ ହୋଇ ପଞ୍ଚ ଦଣ୍ଡା ଉପରେ ଦୁଇଗୋଟି ୧୮ ଫୁଟିଆ ଗରଗରା ସେଟିଙ୍ଗ ହୋଇ ଚାରିନାହାକା ଉଠିବ।
/sambad/media/post_attachments/wp-content/uploads/2021/06/7c4cef7a-3fca-4ebc-9b26-1c6727bf2fcd.jpg)
ସେପଟେ ଦୋଳବେଦିଠାରେ କରତି ସେବକମାନେ ତାଳଧ୍ବଜ ରଥ ପାଇଁ ‘ପୋଲ ଗୟଳ’ କାଠ ଚିରଟ କାମ ଆରମ୍ଭ କରିଛନ୍ତି। ୪୫ ଫୁଟିଆ ଏହି ପୋଲ ଗୟଳର ଉଭୟ ପାର୍ଶ୍ବ ବାରିସିରେ ସମତୁଲ କରିବା ପରେ ଚିରଟ କାମ ଆରମ୍ଭ ହୋଇଛି। ଅନ୍ୟପଟେ ରଥ ଚାଳିରେ ରୂପକାର ସେବକମାନେ କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କୋଣ କମାରଶାଳରେ ତିନି ରଥ ପାଇଁ ଦଣ୍ଡା ବିଡ଼ିଆ କଣ୍ଟା ତିଆରି ଆରମ୍ଭ ହୋଇଛି। ପ୍ରତି ରଥ ପାଇଁ ୧୦୬ଟି ଲେଖାଏଁ ଦଣ୍ଡା ବିଡ଼ିଆ କଣ୍ଟା ଆବଶ୍ୟକ ରହିଛି। ତିନି ରଥର ଫ୍ରେମ ବନ୍ଧା ପାଇଁ ଏହି କଣ୍ଟା ବ୍ୟବହାର ହୁଏ। ଏହି ଦଣ୍ଡା ବିଡ଼ିଆ କଣ୍ଟାକୁ ବିଡ଼ିଆ କଣ୍ଟା, ଚାରି ପରିଛା କଣ୍ଟା, ପ୍ରଭା କଣ୍ଟା କୁହାଯାଏ। ତିନି ରଥ ପାଇଁ ଓଝା ସେବକମାନେ ୩୦ଟି ଲେଖାଏଁ ଦଣ୍ଡା ବିଡ଼ିଆ କଣ୍ଟା ତିଆରି ଶେଷ କରିଛନ୍ତି। ଆଜି ରଥ ନିର୍ମାଣରେ ୧୯୪ଜଣ ସେବକ ନିୟୋଜିତ ଥିଲେ।
/sambad/media/post_attachments/wp-content/uploads/2021/06/c373ec2e-bff0-4ac5-8033-00131326cb48.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/74f1feb9-96f0-4579-b511-179667e436fd.jpg)