ଚଳଚଞ୍ଚଳ ରଥଖଳା: ତିନି ରଥର ଚକଡେରା ଶେଷ, ଚାଲିଛି ଗରଗରା, ଯୋଖା, ସିଂହାସନ କାମ

ପୁରୀ : ତିନିରଥର ୪୨ ଚକ ଓ ୨୧ ଅଖ କାମ‌ ଶେଷ ପରେ ଶନିବାର ସମସ୍ତ ଚକ-ଅଖ ସଂଯୋଗ ସହ ଚକଡେରା କାମ ‌ଶେଷ ହୋଇଛି। ଏଥିସହ ‌ନେତ୍ରୋତ୍ସବ ଦିନ ତିନି ରଥ ବିନା ବାଧାରେ ସିଂହଦ୍ବାରଠାରେ ନିଜ ନିଜ ସ୍ଥାନରେ ପହଞ୍ଚିବା ପାଇଁ ଦିଗ ନିର୍ଣ୍ଣୟ କରାଯାଇ ଚକ-ଅଖଗୁଡ଼ିକ ସେଟିଂ କରାଯାଇଛି। ତିନି ରଥର ଦଣ୍ଡା ଫ୍ରେମଗୁଡ଼ିକରେ ପରୀକ୍ଷାମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯ‌ୋଗ କରାଯାଇଥିଲା। ଏହି ଦଣ୍ଡା ଫ୍ରେମ ପୁନଃ ସେଟିଂ ପାଇଁ ନମ୍ବରି କାମ ଶେଷ ହୋଇଛି।

ଅନ୍ୟପଟେ ତିନି ରଥର ଦୁଇଟି ଲେଖାଏଁ ଗରଗରାରେ ବିନ୍ଧ ଖୋଦେଇ ଶେଷ ହୋଇଛି। ତାଳଧ୍ବଜ ରଥର ୧୬ଟି, ଦେବଦଳନ ରଥର ୧୨ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖା ଲାଗିଥାଏ। ଆଜି ତିନି ରଥର ୭ଟି ଲେଖାଏଁ ଯୋଖା ନିର୍ମାଣ ଶେଷ ହୋଇଛି। ଏହି ଯୋଖା ରଥର ପ୍ରତ୍ୟେ କୋଣମାନଙ୍କରେ ଦଣ୍ଡାଠାରୁ ଗୟଳ ପର୍ଯ୍ୟନ୍ତ ଯାଇଥାଏ। ଏହା ଗୟଳକୁ ବାନ୍ଧି ରଖିବା ସହ ରଥ ଉପର ଚାରିପାର୍ଶ୍ବ ବାଡ଼(ଠେକେରା ବାଡ଼)କୁ ବି ବାନ୍ଧି ରଖିଥାଏ।

ସେପଟେ ଚାରି ପରିଛା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ରଥର ଚାରବନ୍ଧା ଓ ଘୋଡ଼ା ବନ୍ଧା ବେଳେ ଘୋଡ଼ାର ପଛ ଭାଗରେ ରହିଥାଏ। ଢ଼ମକ ଚଉପଟ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଗୟଳ ଓ ଚାରିନାହାକାକୁ ବାନ୍ଧି ରଖିବା ପାଇଁ ଆଗରେ ଓ ପଛରେ ଲାଗିଥାଏ। ତିନି ରଥର ସିଂହାସନ ରାଏ ଓ ପ୍ରଭା ଅପସରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥ ସିଂହାସନର ବେଦି ମୁହଁ ଭାବେ ସିଂହାସନ ରାଏ ଓ ପ୍ରଭା ଅପସରା ଉପରେ ଠାକୁରଙ୍କ ଆସ୍ଥାନ ସଂଯୋଗ କରାଯାଇଥାଏ। ଏ ଭିତରେ ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ପୋଲ ଗୟଳ ଚଉପଟ ଶେଷ ହୋଇଥିବାବେଳେ ଦେବଦଳନ ରଥର ପୋଲଗୟଳ କାଠ ଚିରଟ ଆରମ୍ଭ ହୋଇଛି। ଦୋଳବେଦି କମାରଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା, ଆଗ ପାତେଳି କଣ୍ଟା, ଚଉରସ କଣ୍ଟା ନିର୍ମାଣ ଶେଷ ହୋଇଛି। ୧୬ ଏମଏମ ଯୋଖା କଣ୍ଟା, ଗୟଳ କଣ୍ଟା ଓ ଛନ୍ଦା ଗୟଳ କଣ୍ଟା ନିର୍ମାଣ ଜାରି ରହିଛି। ଆଜି ରଥର ନିର୍ମାଣରେ ୧୯୬ ଜଣ ସେବକ ନିୟୋଜିତ ଥିଲେ।

ସମ୍ବନ୍ଧିତ ଖବର