ପୁରୀ : ଜୁଲାଇ ୯ ତାରିଖ ଭିତରେ ସରିବ ତିନି ରଥର ନିର୍ମାଣ କାର୍ଯ୍ୟ। ଏଥିପାଇଁ ବେଶ ତତ୍ପରତା ଦେଖାଇଛନ୍ତି ରଥ ନିର୍ମାଣ ସେବକମାନେ। ମହାରଣା ସେବକଙ୍କ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରୂପକାର ସେବକ, ଦରଜୀ ସେବକ, ଚିତ୍ରକର ସେବକମାନେ ଜୋରସୋରରେ କାମକୁ ଆଗେଇ ନେଇଛନ୍ତି।

Advertisment

publive-image

ଶ୍ରୀମନ୍ଦିର ପ୍ରଶାସନ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ରବିବାର ରଥଖଳା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ରଥ ନିର୍ମାଣର ତ୍ରୁଟି ଆଦି ଅଛି କି ନାହିଁ, ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ତିନି ରଥର ମୁଖ୍ୟ ମହାରଣାଙ୍କ ସହ ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରୂପକାର ସେବକଙ୍କ ଦ୍ବାରା ଆଜି ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ହୋଇଛି। ବେଦି ପାର୍ଶ୍ବ ପଟା ତଳେ ହଂସପଟା ବାଡ଼ିଆ ବି ସମ୍ପୂର୍ଣ୍ଣ ହୋଇଛି। ନନ୍ଦିଘୋଷ ରଥର ବିଜେ ଚକା ଓ ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇଛି। ରବିବାର ଗୁଣ୍ଠିଗୁଡ଼ିକର ପଲିସ୍‌ କାର୍ଯ୍ୟ ଶେଷ ହୋଇଛି।

publive-image

ଚିତ୍ରକର ସେବକମାନେ ତିନି ରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚକରେ ପଦ୍କ ପାଖୁଡ଼ା ଚିତ୍ରରେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା‌ ସେବକମାନେ ଘୋଡ଼ା କ୍ଲାମ୍ପ ନିର୍ମାଣ ସାରି ମହାରଣା ସେବକଙ୍କୁ ଯୋଗାଇ ଦେଇଛନ୍ତି। ଦରଜୀ ସେବକମାନେ ତିନି ରଥର ଦୁଆରବେଢ଼ା ପାଇଁ କନା କାଟି ଏଥିରେ ଲେସ୍‌ ସଂଯୋଗ କାମ ଜାରି ରଖିଛନ୍ତି।