ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ତିନି ରଥର ତୁମ୍ୱ କଟା ଆରମ୍ଭ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପରେ ଆଜିଠାରୁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ରଥ ନିର୍ମାଣର ଆଜି ପ୍ରଥମ ଦିନରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ୱ ପାଇଁ କାଠ କଟା କାମ ଆରମ୍ଭ ହୋଇଛି। କରତି ସେବକମାନେ କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ତୁମ୍ବ କାଠ କାଟି ରଥଖଳାରେ ବିଶ୍ବକର୍ମାମାନଙ୍କ ଜିମା ଦେବା ପରେ ବିଶ୍ୱକର୍ମାମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିବେ। କରତିଙ୍କ ସହ ମହାରଣା ଓ ଭୋଇ ସେବକଙ୍କୁ ନେଇ ପ୍ରଥମ ଦିନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହାତକାଠିରେ ମାପ ହୋଇ କାଠ ଗଣ୍ଡିରୁ ତୁମ୍ୱ ପାଇଁ କାଠ କଟା ଯିବା ପରେ ୧୦ ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ କୁଆଁରରେ କାଠର ମଞ୍ଜରେ ଗୋଲାକାର କଳା ଦାଗ ଦିଆଯିବ। ଏହାପରେ ନିହଣ, ମୁଗୁର ଓ ବାର୍ସି ସହାୟତାରେ ବିଶ୍ୱକର୍ମାମାନେ ନିର୍ମାଣ କାମ ଆରମ୍ଭ କରିବେ।

ପରମ୍ପରା ଅନୁଯାୟୀ, ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ରଥ ଅମୀନ ଲକ୍ଷ୍ମଣ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ରଥଖଳାକୁ ଆବଶ୍ୟକ କାଠ ଯୋଗାଇ ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ୱାବଧାନରେ ବିଶ୍ୱକର୍ମାମାନେ ରଥ ନିର୍ମାଣ କାମ ଆରମ୍ଭ କରିଛନ୍ତି। ରଥ ସଂହିତା ଅନୁଯାୟୀ ରଥ ନିର୍ମାଣ ସମୟରେ କାଠ ମାପ କରିବା ପାଇଁ କୌଣସି ଆଧୁନିକ କୌଶଳ ରଥଖଳାରେ ବ୍ୟବହାର ହୁଏନି। ହାତ କାଠି, କୁଆଁର, ସୂତା ଆଦିରେ ମାପକୁ ଯୁଗ ଯୁଗ ଧରି ବିଶ୍ୱକର୍ମାମାନେ ବ୍ୟବହାର କରି ଆସୁଛନ୍ତି। ମୁଖ୍ୟ ବିଶ୍ୱକର୍ମାଙ୍କ ପୋଥିର ମାପ ଆଧାରରେ ହାତ, ଆଙ୍ଗୁଳି, ସୁତା ମାପ ଅବଲମ୍ୱନରେ ତିନି ରଥର ବିଭିନ୍ନ ଅଂଶକୁ ନିର୍ମାଣ କରାଯାଉଛି। ଏହି ପାରମ୍ପରିକ ମାପରେ ପ୍ରତ୍ୟେକ ଚକର ତୁମ୍ୱରେ ୧୬ଟି ଅର ଲାଗିବ। ତୁମ୍ୱ ନିର୍ମାଣ ପରେ ଏହି ଅରଗୁଡିକ ଖଞ୍ଜାଯିବ। ଏଥିପାଇଁ ପ୍ରତ୍ୟେକ ତୁମ୍ୱରେ ୩୨ଟି ବିନ୍ଧ କରାଯିବ। ଏହାପରେ ତୁମ୍ୱରେ ଅର ଯୋଡାଯିବ। ଅର ଉପରେ ପଈ ପଡିବ। ବିଶ୍ୱକର୍ମାମାନେ ପୁରୁଷ ପୁରୁଷ ଧରି ଏହି ପଦ୍ଧତି ଅନୁସରଣ କରି ରଥ ନିର୍ମାଣ କରି ଆସୁଛନ୍ତି। ତୁମ୍ୱ, ଅର ଓ ପଈ କାମ ସରିବା ଭିତରେ ତିନି ରଥର ଅଖ କାମ ଆରମ୍ଭ ହେବ। ନନ୍ଦିଘୋଷ ପାଇଁ ସର୍ବାଧିକ ୧୬ଟି, ତାଳଧ୍ବଜ ପାଇଁ ୧୪ଟି ଓ ଦର୍ପଦଳନ ପାଇଁ ୧୨ଟି, ଏପରି ମୋଟ ୪୧ଟି ତୁମ୍ବ ପ୍ରସ୍ତୁତ ହେବ। ୪୨ଟି ତୁମ୍ବରୁ ୪୨ଟି ଚକ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର