ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ

ଖୋଳାହେଲା ଯନ୍ତାଗାଡ଼, ତୁମ୍ବରେ ଅର ସଂଯୋଗ ଅନୁକୂଳ

ପୁରୀ : ରଥ ସଂହିତା ଆଧାରରେ ଆଜି ପବିତ୍ର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମଦିନରେ ରଥଖଳାରେ କୋଣଗୁଜ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ଆଜିଠାରୁ କୋଣଗୁଜ କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆଜିଠାରୁ ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଅନୁକୂଳ ହୋଇଛି। ସେପଟେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ମାଟିରେ ପୋତା ହୋଇ ରହିଥିବା ଯନ୍ତାଗାଡ଼କୁ ଖୋଳା ହୋଇଛି। ଭୋଇ ସେବକମାନେ ଏହି କାର୍ଯ୍ୟ କରିଥିବାବେଳେ ଆଗାମୀ ଦିନରେ ଏଥିରେ ଭୋଇ ସେବକମାନେ ଯନ୍ତା ବାଡ଼ିଆ କାର୍ଯ୍ୟ ଆରମ୍ଭ କରିବେ।

ଶନିବାର ଦିନ ନୃସିଂହ ଚତୁର୍ଦଶୀର ତିନି ରଥ ପାଇଁ ୭ଟି ଲେଖାଁଏ ୧୨ ଫୁଟିଆ ଧଉରା କାଠ ତିନି ରଥ ଚାଳିକୁ ଯୋଗାଇ ଦିଆଯାଇଥିଲା। ପରେ ତିନି ରଥର ମୁଖ୍ୟ ମହାରଣାମାନେ ନଡ଼ିଆ ବାଡ଼େଇ ଅନୁକୂଳ ପୂଜା ପୂର୍ବକ ଗୁଜ ପାଇଁ ଉଦ୍ଦିଷ୍ଟ ୧୨ ଫୁଟିଆ ଧଉରା କାଠଗୁଡିକର ଉପର ଅଂଶକୁ ବାରିସୀରେ ହାଣି ସମତଳ କରି ଚଉପଟ(ଚାରି କୋଣିଆ) କରିଥିଲେ। ଅପରାହ୍ଣରେ ମହାପ୍ରଭୁଙ୍କ ଜାତଭୋଗ ପରେ ଚନ୍ଦନ ଠାକୁର ଚନ୍ଦନ ପୋଖରୀକୁ ବିଜେ ସମୟରେ ତିନିରଥର ମହାରଣା ସେବକ ଗୁଜ ଅନୁକୂଳ ପାଇଁ ରୂପକାର ସେବକଙ୍କୁ ତିନି ବାଡ଼ର ଗୋଟିଏ ଲେଖାଏଁ ଚଉପଟ ହୋଇଥିବା ଗୁଜ କାଠ ଯୋଗାଇ ଦେଇଥିଲେ। ପରେ ତିନିରଥର ମୁଖ୍ୟ ରୂପକାର ସେବକ ଗୁଜ କାଠରେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ତିନି ରଥରେ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରି ପ୍ରାରମ୍ଭିକ କୋଣଗୁଜ ନିର୍ମାଣର ଅନୁକୂଳ ନୀତି ସମ୍ପନ୍ନ କରିଥିଲେ। ଏଥି ସହ ମହାରଣାମାନେ ତିନି ରଥର ଦୁଇଟି ଲେଖାଁଏ ତୁମ୍ବ ପାଇଁ ଅର ପ୍ରସ୍ତୁତ କାମ ‌ଶେଷ କରିଛନ୍ତି। ପ୍ରତି ରଥର ୭ଟି ଲେଖାଏଁ ଗୁଜ ଚଉପଟ କାମ ଶେଷ ହୋଇଛି। ସେପଟେ ଅସ୍ଥାୟୀ କମାରଶାଳରେ ତିନି ଓଝା ସେବକମାନେ ଅରକଣ୍ଟା, ପନ୍ଦାରି ଓ ବଳା ନିର୍ମାଣ କାମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର