ପୁରୀ: ୩ ରଥର ୪ଟି ଚାରିନାହାକା ନିର୍ମାଣ ଶେଷ

ପୁରୀ : ରଥ ସଂହିତା ମୁତାବକ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ୩ ରଥର ଚାରି ନାହାକା ଉଠିବ। ତେଣୁ ସମୟ ପୂର୍ବରୁ ତିନି ରଥର ୪ଟି ଲେଖାଏଁ ଚାରି ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ୪୨ଟି ଚକରୁ ଆଜି ସୁଦ୍ଧା ୩୯ଟି ଚକର ନିର୍ମାଣ ଶେଷ ହୋଇଛି। ଆଉ ୩ଟି ରଥର ଗୋଟିଏ ଗୋଟିଏ ଚକ ନିର୍ମାଣ ପାଇଁ ୩ଟି ତୁମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ଠାରେ ଭୋଇ ସେବକଙ୍କ ଦ୍ବାରା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି।

ରଥ ନିର୍ମାଣ କାର୍ଯ୍ୟର ୨୫ ତମ ଦିବସରେ ତିନିରଥର ଶେଷ ହୋଇଥିବା ଭୁଇଁ ଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ ହୋଇଛି। ତିନି ରଥର ପୋଟଳ ପାରେଣି, ପୋଟଳ ଓରା ଓ ପୋଟଳ ଖମ୍ବୀ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକମାନେ ଶେଷ କରିଛନ୍ତି। ତିନିରଥର ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଜାରି ରହିଛି। ନନ୍ଦିଘୋଷ ରଥର ଚାରିଟି ଚାରିନାହାକା ନିର୍ମାଣ ଶେଷ ହେବା ପରେ ୭ଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ପୋଟଳ ପାରେଣି, ପୋଟଳ ଓରା ଓ ପୋଟଳ ଖମ୍ବୀ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ରଥର ସିଂହାସନ ନିର୍ମାଣ ଶେଷ ହୋଇ ରୂପକାର ସେବକଙ୍କୁ ହସ୍ତାନ୍ତର କରାଯାଇଛି। ସେଥିରେ ରୂପକାର ସେବକମାନେ ଡାଳି, ଲତା, କୁମ୍ଭ ଖୋଦେଇ କରିବେ। ଚଉତା ଓ ମୁହାଁଟ ବିନ୍ଧ ପାଇଁ ଅନୁକୂଳ ପୂଜା ପରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ଦେବଦଳନ ରଥର ଚାରି ନାହାକା ନିର୍ମାଣ ଶେଷ ହୋଇ ୫ଟି ଚଉଦ ନାହାକା ନିର୍ମାଣ ଶେଷ ହୋଇଛି। ଦେବଦଳନ ରଥର ପୋଟଳ ପାରେଣି, ପୋଟଳ ଓରା, ପୋଟଳ ଖମ୍ବୀ ନିର୍ମାଣ ଶେଷ ହୋଇଛି। ଦେବଦଳନ ରଥର ସିଂହାସନ ନିର୍ମାଣ ଶେଷ ହେବା ପରେ ରୂପକାରଙ୍କୁ ଯୋଗାଇ ଦିଆଯାଇଛି। ଆଜି ନିର୍ମାଣ ସରିଥିବା ଭୁଇଁଚଉତା ଓ ମୁହାଁଟରେ ବିନ୍ଧ ଅନୁକୂଳ ପୂଜା ପରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର