ପୁରୀ: ରଥର ଦଣ୍ଡା ନିର୍ମାଣ ଆରମ୍ଭ

ଗରଗରା ଚଉପଟ ଜାରି, ପହଞ୍ଚିଲା ୩ ରଥ ପାଇଁ ପଇ

ପୁରୀ : ରଥଖଳାରେ ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟ ୨୮ ଦିନରେ ପହଞ୍ଚିଛି। ବୁଧବାର ସୁଦ୍ଧା ତିନି ରଥର ୪୨ ଚକରୁ ୩୯ ଚକ ନିର୍ମାଣ ସରିଥିବା ବେଳେ ବାକି ତିନି ରଥର ତିନି ଚକ ପଇ ଅଭାବରୁ ନିର୍ମାଣ ହୋଇ ପାରିନଥିଲା। ବୁଧବାର ଦିନ ପଇ ପହଞ୍ଚିବା ପରେ ତିନି ଚକର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପଇ ବିନ୍ଧ ଓ କଳସା କାମ ଜାରି ରହିଛି। ଅଖ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆସନ୍ତା ୫ ତାରିଖ ଶୀତଳ ଷଷ୍ଠୀରେ ଚକଡେରା ଅନୁକୂଳ ହେବ।

ଅନ୍ୟପଟେ ତିନି ରଥର ଦଣ୍ଡା ନିର୍ମାଣ କାର୍ଯ୍ୟ ବୁଧବାରଠାରୁ ଆରମ୍ଭ ହୋଇଛି। ଗରଗରା ଚଉପଟ ଜାରି ରହିଥିବା ବେଳେ ପୋଲ ଗୟଳ ଚିରଟ ଜାରି ରହିଛି। ତିନି ରଥର ଦୁଇଟି ଲେଖାଏଁ ଗରଗରା ଚଉପଟ ଜାରି ରହିଛି। ସେପଟେ ଦୋଳବେଦି କମାର ଶାଳରେ ଗରଗରା କଣ୍ଟା, ପୋଲ ଗୟଳ ଓ ଛନ୍ଦା ଗୟଳ କଣ୍ଟା ନିର୍ମାଣ ଜାରି ରହିଛି। ତିନି ରଥ ଉପରେ ନଜର ପକାଇଲେ, ତାଳଧ୍ଵଜ ରଥର ୯ଟି ଦଣ୍ଡାରୁ ଅନୁକୂଳ କାର୍ଯ୍ୟ ପରେ ୫ଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଦେବଦଳନ ରଥର ୭ଟି ଦଣ୍ଡାରୁ ଆଜି ଅନୁକୂଳ ପୂଜା ପରେ ୫ଟି ଦଣ୍ଡାର ଚଉପଟ କାର୍ଯ୍ୟ ଜାରି ରହିଛି। ଦୁଇଟି ୨୦ ଫୁଟିଆ ଧଉରା ଗରଗରା କାଠକୁ କରତି ସେବକ କରତି କଲା ପରେ ଗରଗରା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।

ନନ୍ଦିଘୋଷ ରଥର ୯ଟି ଦାଣ୍ଡାରୁ ଅନୁକୂଳ କାର୍ଯ୍ୟ ପରେ ୫ଟି ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ ତିନି ରଥର କୋଣଗୁଜ ବା ସାଲ ଗୁଜରେ ସିଂହ ବିରଳ ଖୋଦେଇ ପରେ ତୀଖ ଗୁଜରେ ସିଂହ ବିରାଳ ଖୋଦେଇ ଜାରି ରହିଛି। ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ୮ଟି ଲେଖାଁଏ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଓ ଦେବଦଳନ ରଥ ପାଇଁ ୪ଟି ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରହିଛି।

ସମ୍ବନ୍ଧିତ ଖବର