ରଥଖଳା ହାଲଚାଲ: ୪୨ରୁ ୪୧ ଚକ ନିର୍ମାଣ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ୨୯ ଦିନ ପୂରିଥିବା ବେଳେ ଗୁରୁବାର ସୁଦ୍ଧା ତିନି ରଥର ୪୨ ଚକରୁ ୪୧ ଚକ ନିର୍ମାଣ ଶେଷ ହୋଇଛି। କେବଳ ଦେବଦଳନ ରଥର ୧୨ଟି ଚକରୁ ୧୧ଟି ଚକ ନିର୍ମାଣ ସରିଥିବା ବେଳେ ଶେଷ ଚକ ନିର୍ମାଣ ଜାରି ରହିଛି। ବାକି ନନ୍ଦିଘୋଷ ରଥର ୧୬ଟି ଓ ତାଳଧ୍ବଜ ରଥର ୧୪ଟି ଚକ ନିର୍ମାଣ ଶେଷ ହୋଇଛି। ସେପଟେ ଦଣ୍ଡା ଚଉପଟ, ତିନି ଭୂଇଁ ସାଲ କାମ ଜାରି ରହିଛି। ରୂପକାର ସେବକମାନେ ଗୁଜ ଖୋଦେଇ ଜାରି ରଖିଛନ୍ତି।

ତିନି ରଥ ଉପରେ ନଜର ପକାଇଲେ, ଆଜି ସୁଦ୍ଧା ନନ୍ଦିଘୋଷ ରଥର ୫ଟି ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ୪ଟି ଦଣ୍ଡା ଓ ଦେବଦଳନ ରଥର ୫ଟି ଦଣ୍ଡା କାମ ଶେଷ ହୋଇଛି। ଦେବଦଳନ ରଥର ତୃତୀୟ ଭୂଇଁ ଖମ୍ବୀ ଦୁଇ ମୁହଁ ସାଲ କାର୍ଯ୍ୟ ବି ଶେଷ ହୋଇଥିବା ବେଳେ ତାଳଧ୍ବଜ ଓ ନନ୍ଦିଘୋଷ ରଥର ସାଲ କାର୍ଯ୍ୟ ଜାରି ରହିଛି। ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ବି ଶେଷ ହୋଇଛି। ତିନି ରଥର ଗରଗରା ଚଉପଟ କାର୍ଯ୍ୟ ଜାରି ରହିଛି। ରୂପକାର ସେବକମାନେ ସାଲ ଗୁଜ ବା କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ କଲା ପରେ ତିଖ ଗୁଜ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଗରଗରା କଣ୍ଟା, ଗୟଳ କଣ୍ଟା, ଛନ୍ଦା ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର