ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶନିବାର ଦିନ୪୫ ଦିନରେ ପହଞ୍ଚିଛି। ଗତକାଲି କାମ ଶେଷ ସୁଦ୍ଧା ତିନି ରଥର ଆଗଆଣି ଢମକ ବାଡ଼ିଆ ପରେ ତିନି ରଥର ତୃତୀୟ ଭୁଇଁ ସଂଯୋଗ ପରେ ବଡ଼ ଧାରା ପୋଟଳ ଉଠିଥିଲା। ଶନିବାର ଦିନ ତିନି ରଥର ବାକି ୧୨ଟି ପୋଟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ଖପୁରୀ ଓ ପାରାଭାଡ଼ିକୁ ମିଶାଇ ମୋଟ୍ ୧୩ ପରସ୍ତ ପୋଟଳ ପଡ଼ିଥାଏ। ୧୨ ପରସ୍ତ ପୋଟଳରେ ଯୋଖା କଣ୍ଟା ବାଡ଼ିଆ ଶେଷ ହୋଇଥିବାବେଳେ ଏହା ରଥ ଉପରି ଅଂଶ ସଂଯୋଗ ପୂର୍ବରୁ ଚାରିପାର୍ଶ୍ବରେ ବାଗିଆ କଣ୍ଟା ବସି ପୋଟଳ ସଂଯୋଗ ହେବ। ଏହା ପୂର୍ବରୁ ତିନି ରଥର ସମ୍ମୁଖ ଭାଗକୁ ଛାଡ଼ି ବାକି ତିନି ପାର୍ଶ୍ବରେ ତାଗ ବା ବଟନ ବାଡ଼ିଆ ଶେଷ ହୋଇଛି। ଏହାପରେ ବେଦି ଚାରିପାର୍ଶ୍ବରେ ପଟା ପଡ଼ିବ।
ଶନିବାର ଦିନ ତିନି ରଥର ମୂଳ କଇଁଛି ବା ନାହାକା କଇଁଛି ଦୁଇଟି ଲେଖାଏଁ ଉଭୟ ପାର୍ଶ୍ବରେ ପଡ଼ିଛି। ଏହି କଇଁଛି ଚାରିନାହାକ ଭିତର ଦୁଇପାର୍ଶ୍ବରେ ଚାରିନାହାକା ମୂଳରୁ ଗରଗରା ସହ କ୍ରସ କରି ସଂଯୋଗ କରାଯାଇଛି। ତିନି ଭୂଇଁ ମଜବୁତ ହେବାକୁ ଏଭଳି କରାଯାଇଛି। ତିନି ରଥର ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇ ରଥ ନିକଟରେ ରଖାଯାଇଛି। ଆଜି ଏହାକୁ ତିନି ରଥରେ ସଂଯୋଗ କରାଯିବ। ତିନି ରଥର ୮ଟି ଲେଖାଏଁ ମଗରମୁଖ ପଟା ନିର୍ମାଣ ଶେଷ ହୋଇଥିବା ବେଳେ ଚାର ପରିଛା ନିର୍ମାଣ ଶେଷ ହୋଇଛି। ରୂପକାର ସେବକମାନେ ଏଥିରେ ଡାଳି, ଲତା ଓ ପଦ୍ମପାଖୁଡ଼ା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଚାର ପରିଛା ସଂଯୋଗ ପରେ ଚିତ୍ରକାର ସେବକମାନେ ରଙ୍ଗ କାର୍ଯ୍ୟ କରିବେ। ତିନି ରଥର ୧୨ଟି ଲେଖାଏଁ କଣି ଫାଉଡ଼ା ନିର୍ମାଣ ଶେଷ ହୋଇଛି। ଏହି କଣି ଫାଉଡ଼ା ତିନି ରଥର ଛଅ କାଠ କୋଣମାନଙ୍କରେ ସଂଯୋଗ ହେବ। ଏହାର ଚାରିପାର୍ଶ୍ବରେ ବତା ବା ପତଳା କାଠ ବଟନ ପକାଯିବ। ରଥର କନା ପଡ଼ିଲା ବେଳେ ଗୋଲାକାର ଦିଶିବା ପାଇଁ ଏହା କରାଯାଇଥାଏ। ଯଦ୍ବାରା କପଡ଼ା ଅକ୍ଷତ ରୁହେ। ରୂପକାର ସେବକମାନେ ତିନି ରଥର ୮ଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ତିନି ରଥର ଚକ, କୋଣଗୁଜ, ଜଳଯନ୍ତ୍ର ରଙ୍ଗ କାମ ବି ଜାରି ରହିଛି।