ରଥଖଳା ହାଲଚାଲ: ପ୍ରଭା ରୂପ ଖୋଦେଇ ଆରମ୍ଭ, ଚାଲିଛି ସିଂହାସନ ବେଦି କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଗୁରୁବାର ଦିନ ୫୦ ଦିନ ପୂରିଛି। ଗୁରୁବାର କାମ ଶେଷ ସୁଦ୍ଧା ତିନି ରଥର ଚାରିକୋଣକୁ ଛାଡ଼ି ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଅନ୍ୟପଟେ ଗୁରୁବାର ଦିନ ତିନି ରଥର ବେଦି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଂହାସନ ବେଦି ପ୍ରସ୍ତୁତି ପାଇଁ ଆଗଆଣି ଓ ପଛଅଣି ଢ଼ମକ ଉପରେ ୫ଟି ଜଗତପୃଷ୍ଠ ଶେଣି ପଡ଼ିଛି। ଏହା ଉପରେ ଉଭୟପାର୍ଶ୍ବରେ ତିନୋଟି ‌ଲେଖାଏଁ ବାହୁଟ ଫାଳିଆ ପଡ଼ି ବେଦି ନିର୍ମାଣ ପାଇଁ ପଟା ବାଡ଼ିଆ ଆରମ୍ଭ ହୋଇଛି। ତିନି ରଥର ନିର୍ମାଣ ଶେଷ ହୋଇଥିବା ୧୨ଟି ଦୁଆର ବେଢ଼ାରେ ଚିତ୍ରକାର ସେବକମାନେ ରୂପ ଅଙ୍କନ କାର୍ଯ୍ୟ ଶେଷ କରିଛନ୍ତି। ଘୋଡ଼ା ସଂଯୋଗ ପାଇଁ ତିନି ରଥର ଦୁଇଟି ଲେଖାଏଁ ଈଷ ନିର୍ମାଣ ଶେଷ ହୋଇଛି। ତିନି ରଥରେ ପ୍ରଭା ଫ୍ରେମ୍‌ରେ ପଟା ବାଡ଼ିଆ ପରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସଂଯୋଗ ହୋଇଛି। ମହାରଣା ସେବକମାନେ ଏହାକୁ ରୂପ ଖୋଦେଇ ପାଇଁ ରୂପକାର ସେବକଙ୍କୁ ଯୋଗାଇ ଦେଇଛନ୍ତି। ରୂପକାର ସେବକମାନେ ୨୪ଟି ନାଟଗୋଡ଼ରୁ ବାକି ଥିବା ତିନି ନାଟଗୋଡ଼ରେ ଗନ୍ଧର୍ବ ଖୋଦେଇ ଶେଷ କରି ଚିତ୍ରକାରମାନଙ୍କୁ ଯୋଗାଇ ଦେଇଛନ୍ତି।

ଗୁରୁବାର ଦିନ ତିନି ରଥର ପ୍ରଭାରେ ରୂପକାରମାନେ ଚିତ୍ର ଅଙ୍କନ ‌ଶେଷ ପରେ ଖୋଦେଇ ଆରମ୍ଭ ହୋଇଛି। ରୂପକାର ସେବକମାନେ ପ୍ରଭା ଉପର ଭାଗରେ ଦୁଇଟି ହାତରେ ଛୁରି ଧରିଥିବା ରାହୁ ମୁଖ ଖୋଦେଇ ସହ ବାଙ୍କରେ ଡାଳି, ଲତା ଓ ତଳ ଦୁଇପଟରେ ଗୋଟିଏ ଲେଖାଏଁ ମଗର ମୁଖ ଚିତ୍ର ଖୋଦେଇ ଆରମ୍ଭ କରିଛନ୍ତି। ଚିତ୍ରକାର ସେବକମାନେ କୋଣଗୁଜ, ପଟାଗୁଜରେ ଚିତ୍ର କାର୍ଯ୍ୟ ସହ ତିନି ରଥର ଚକରେ ପ୍ରାଇମର ବୋଳିଛନ୍ତି। ପାର୍ଶ୍ବ ଦେବାବେଦୀଙ୍କ ରଙ୍ଗ ସହ ନାଟଗୋଡ଼, କନ୍ୟା ପଟା, ହଂସପଟା, କଳସ ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦର୍ଜୀ ସେବକମାନେ ତିନି ରଥର କନା କାଟିବା ପରେ ପୋଲ ମୁଦ୍ରା(କଦଳୀ ଗଛ), ଦୁଆର ବେଢ଼ା, ଚନ୍ଦ୍ରଶାଳୀ, ଅଁଳାଶ୍ରୀ ପାଇଁ କନା କାଟିଛନ୍ତି। ଏଥିରେ ଲେସ୍‌ ସଂଯୋଗ ସହ ଫୁଲପକା କାର୍ଯ୍ୟ ଜାରି ରହିଛି। କମାରଶାଳରେ ଓଝା ସେବକମାନେ ଜଗତପୃଷ୍ଠ ଶେଣି କଣ୍ଟା, ବାହୁଟ ଫାଳିଆ କଣ୍ଟା ମହାରଣାମାନଙ୍କୁ ଯୋଗାଇ ଦେବା ପରେ ଧ୍ବଜାବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର