ପୁରୀ : ରଥ ଚାଳିରେ କାଠ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରଥ କାଠ ନିର୍ମାଣ ସରିବା ପରେ ରଥଚାଳି ଚାଞ୍ଚ ଖୋଲାଯାଇଛି। ତିନି ରଥର ଉପର ଅଂଶ କନା ପଡ଼ିବା ପୂର୍ବରୁ ବଡ଼ଧରା ପୋଟଳଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ତିନି ରଥ କୋଣଗୁଡ଼ିକରେ ୩ଟି ଲେଖାଏଁ ମଣ୍ଡଣି ବଟନ ପଡ଼ିଥିଲା। ରବିବାର ଦିନ ତିନି ରଥର କଳସ, ଓଲଟ ଶୁଆ ଓ ଅଁଳା ଉଠିଛି। ହାତିଆଳ ମାଳ ଓ କଣ ବତାଗୁଡ଼ିକ ଖଞ୍ଜାଯାଇ କଣ୍ଟାବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି। ତିନି ରଥର ବେଦିପାର୍ଶ୍ବ ପଟା ତଳେ ହଂସପଟା ବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି। ଘୋଡ଼ା ସଂଯୋଗ ପାଇଁ ଜୁଆଳି ଓ ଈଶ ନିର୍ମାଣ ଶେଷ ହୋଇଛି। ତିନି ରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇ ରଙ୍ଗକାର୍ଯ୍ୟ ଚାଲିଛି।
/sambad/media/post_attachments/wp-content/uploads/2022/06/ratha-1c-300x194.jpg)
ତିନି ରଥର ରୂପକାରମାନେ ପ୍ରଭାରେ ରୂପ ଖୋଦେଇ ଶେଷ କରି ଚିତ୍ରକାର ସେବକମାନଙ୍କୁ ଯୋଗାଇ ଦେଇଛନ୍ତି। ଚିତ୍ରକରମାନେ ତିନିରଥ ପ୍ରଭାରେ ଖୋଦିତ ରୂପଗୁଡ଼ିକରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ରଥର ସିଂହାସନ ବେଦି ଚାରିପଟ ଗାଈ ଗୋଠ ଚିତ୍ର ଅଙ୍କନ ଶେଷ ହୋଇଛି। ନନ୍ଦିଘୋଷ ରଥର ବ୍ରେକର ରଙ୍ଗ କାର୍ଯ୍ୟ ସହ ସେଥିରେ ହାତୀମାଳ ଚିତ୍ର ଅଙ୍କନ ଶେଷ ହୋଇଛି। ଚିତ୍ରକର ସେବକମାନେ ତିନିରଥର ଚକ, ଦଣ୍ଡା, ଚାରି ନାହାକା, ଚଉଦ ନାହାକାରେ ରଙ୍ଗ କାର୍ଯ୍ୟ ସହ ଘଣ୍ଟି, ପିତଳ କଳସ ଆଦିରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦର୍ଜି ସର୍ଦ୍ଧାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ବାବଧାନରେ ୧୮ ଜଣ ଦର୍ଜି ସେବକ ତିନି ରଥର ୧୨ଟି ଦୁଆର ବେଢ଼ା ମାପ ପ୍ରକାରେ କନା କାଟି ସେଥିରେ ଲେସ୍ ଲଗାଇ, ଜରି ଫୁଲ, ଫୁଲ ଡାଳି ପକାଇ ଦୁଆର ବେଢ଼ା କାମ ଶେଷ କରିଛନ୍ତି। ତିନିରଥର ୧୨ଟି ଚନ୍ଦ୍ରଶାଳୀ ଓ ୧୨ଟି ଅଁଳାଶ୍ରୀ କାମ ଶେଷ ହୋଇ କନକ ମୁଣ୍ଡି ପାଇଁ ଚାନ୍ଦୁଆ, ଉଡ଼ା ଚାନ୍ଦୁଆ, ସାରଥି ପୋଷାକ, ମଗର ବତା, ଧ୍ବଜ, ପତାକା ଓ ଲାଗିଲୁଗା ସିଲେଇ କାର୍ଯ୍ୟ ଜାରି ରଖିଛନ୍ତି। କମାରଶାଳରେ ଓଝା ସେବକମାନେ ଓଲଟଶୁଆ ରଥରେ ସଂଯୋଗ ପାଇଁ ନାରଜ କଣ୍ଟା ୪ଟି ଲେଖାଏଁ ୧୨ଟି ମହାରଣାଙ୍କୁ ଯୋଗାଇବା ସହ ତିନି ରଥର ପ୍ରଭା ସଂଯୋଗ ପାଇଁ ପ୍ରଭା କଣ୍ଟା ୪ଟି ଲେଖାଏଁ ୧୨ଟି କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ratha3a.jpg)