ରଥଖଳା ଚଳଚଞ୍ଚଳ, ୪୨ରୁ ସରିଲା ୯ ତୁମ୍ବ

ପୁରୀ: ଚଳଚଞ୍ଚଳ ହୋଇ ପଡ଼ିଥିବା ବଡ଼ଦାଣ୍ଡ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୪ ଦିନ ପୂରିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ମହାରଣା ସେବକମାନେ ୯ଟି ତୁମ୍ୱକୁ ହାଣି ପ୍ରାଥମିକ ପର୍ଯ୍ୟାୟ କାମ ଶେଷ କରିଛନ୍ତି। ପ୍ରସ୍ତୁତ ତୁମ୍ୱ ମଧ୍ୟରେ ଦର୍ପଦଳନ ରଥର ୩ଟି, ନନ୍ଦିଘୋଷ ରଥର ୩ଟି ଓ ତାଳଧ୍ୱଜ ରଥର ୩ଟି ତୁମ୍ୱ ରହିଛି। ଅର ଓ ପଈ ସଂଯୋଗ ପାଇଁ କୁଆଁରରେ ଦାଗ ଦିଆ କାମ ଜାରି ରହିଛି। ପରେ ପର୍ଯ୍ୟାୟକ୍ରମେ ଅର ଓ ପଈ ସଂଯୋଗ ପାଇଁ ବିନ୍ଧ କାମ ଆରମ୍ଭ ହେବ। ରଥ ନିର୍ମାଣରେ ଆଜି ୨୮ଜଣ ମହାରଣା ସେବକ, ୪ଜଣ କରତି ସେବକ, ୧୨ଜଣ ଭୋଇ ସେବକ, ଜଣେ ତୁମ୍ବ ବିନ୍ଧ କାରିଗର, ୬ଜଣ କମାର ସେବକ, ଏପରି ମୋଟ ୫୧ଜଣ ରଥ ନିର୍ମାଣକାରୀ ସେବକ ନିୟୋଜିତ ଥିଲେ।

ରଥଖଳାରେ ପ୍ରବେଶ ପୂର୍ବରୁ ସଂପୃକ୍ତ ସେବକଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା। ରଥ ଚକ ପାଇଁ କରତି ସେବକ ଗତକାଲି ସୁଦ୍ଧା ତିନି ରଥ ପାଇଁ ତିନୋଟି ଲେଖାଏଁ ତୁମ୍ବ ଗଡ଼ କରି ମହାରଣାମାନଙ୍କୁ ଯୋଗାଇଥିଲେ। ଆଜି ତିନି ରଥର ମହାରଣାମାନେ ୩ଟି ଲେଖାଁଏ ତୁମ୍ବକୁ ବାରିସିରେ ହାଣି ପ୍ରାଥମିକ କାର୍ଯ୍ୟ ଶେଷ କରିଥିଲେ। ଆଜି କରତି ସେବକମାନେ ଆଉ ୯ଗୋଟି ତୁମ୍ବ ଗଡ଼ କରି ଭୋଇ ସେବକଙ୍କ ସହାୟତାରେ ତିନି ରଥର ମହାରଣାମାନଙ୍କୁ ଯୋଗାଇ ଦେଇଛନ୍ତି। ସେପଟେ ଗତକାଲିଠାରୁ ଦୋଳବେଦି କୋଣ କମାରଶାଳ ସାଜ ସରଞ୍ଜାମ ପ୍ରସ୍ତୁତ ହେବା ପରେ ଆଜିଠାରୁ ଏହା ଚଳଚଞ୍ଚଳ ହୋଇ ଉଠିଛି। ତିନି ରଥର ମୁଖ୍ୟ ଓଝା ସେବକମାନେ ରଥ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତି କାମ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଅରକଣ୍ଟା ପ୍ରସ୍ତୁତି କାମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର