ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବୋଳା ବା ଗୋଲେଇ କାମ ଶେଷହୋଇଛି। ୨୪ଟି ତୁମ୍ବରୁ ତାଳଧ୍ବଜ ରଥର ୮ଟି, ଦର୍ପଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୮ଟି ତୁମ୍ବ ବୋଳା କାମ ଶେଷ ହୋଇଛି। ଅପରପକ୍ଷେ ଆଜି ମଧ୍ୟାହ୍ନ ସୁଦ୍ଧା କରତି ସେବକମାନେ ୨୨ଟି ଫାଶିକାଠ ଗଡ଼ କରି ତିନି ରଥଚାଳିକୁ ଭୋଇସେବକଙ୍କ ଜରିଆରେ ଯୋଗାଇ ଦେଇଛନ୍ତି। ଗତକାଲି ସୁଦ୍ଧା କରତି ସେବକମାନେ ୨୦ଟି ତୁମ୍ବ କାଟି ତିନି ରଥଚାଳିକୁ ଭୋଇସେବକଙ୍କ ମାଧ୍ୟମରେ ଯୋଗାଇ ଦେଇଥିଲେ। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥ ପାଇଁ ଅରକଣ୍ଟା ଓ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି। ତିନି ରଥ ପାଇଁ ୩୭ଜଣ ମହାରଣା ସେବକ, ୨୨ଜଣ ଭୋଇ ସେବକ, ୪ଜଣ କରତି ସେବକ, ୯ଜଣ କମାର ସେବକ, ଜଣେ ବିନ୍ଧ କାରିଗରଙ୍କୁ ମିଶାଇ ୭୪ଜଣ ଆଜି ରଥ ନିର୍ମାଣରେ ନିୟୋଜିତ ଥିଲେ।