ରଥ-ପଥ-ଭକ୍ତ ପ୍ରସ୍ତୁତ

ପୁରୀ : ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପର୍ବ ଦେଖିବାକୁ ଅପଲକ ନୟନରେ ଚାହିଁ ରହିଛନ୍ତି କୋଟିକୋଟି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ। ଏହି ପରିପ୍ରେକ୍ଷୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତମାନେ ଯାତାୟାତ ସମୟଠୁ ନେଇ ରଥଯାତ୍ରା ମଧ୍ୟରେ ଯେଭଳି କୌଣସି ସମସ୍ୟା ଭୋଗିବେ ନାହିଁ, ଅବା ସମସ୍ୟା ହେଲେ କାହାର ସହଯୋଗ ନେବେ, ହଇରାଣ ହେବେ ନାହିଁ, ତାକୁୂ ନେଇ ପ୍ରଶାସନ କରିଛି ବ୍ୟପକ ବ୍ୟବସ୍‌୍ଥା। ପ୍ରଶାସନର ଏହି ବ୍ୟବସ୍‌୍ଥାକୁ ନେଇ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ରେଳ ଷ୍ଟେସନ୍‌ରେ ୧ହଜାର ଯାତ୍ରୀଙ୍କ ବିଶ୍ରାମ ସ୍ଥଳ, ୩୫ ଟିକେଟ୍‌ କାଉଣ୍ଟର୍‌
ପୁରୀ ରେଳ ଷ୍ଟେସନ୍‌ ଓ ଅନ୍ୟ ଷ୍ଟେସନ୍‌ରେ ମୋଟ୍‌ ୩୫ଟି ଟିକେଟ କାଉଣ୍ଟର୍‌ ଖୋଲାଛି। ୨୦୫ରୁ ୨୧୦ଟି ଟ୍ରେନ୍‌ ଚଳାଚଳ କରିବାର ବ୍ୟବସ୍‌୍ଥା ହୋଇଛି। ଯାତ୍ରୀମାନେ ଆଡଭାନ୍ସ ଓ ଫେରିବା ଟିକେଟ୍‌ କରିପାରିବେ। ୫ଟି ଇନକ୍ବାରି କାଉଣ୍ଟର ଓ ୪ଟି ଗ୍ରାହକ ସହାୟକ କେନ୍ଦ୍ର ରହିବ। ରେଳ ଷ୍ଟେସନରେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍‌୍ଥା କରାଯିବ। ୩ହଜାର ବର୍ଗଫୁଟର ଏକ ମେଳା ସେଡ୍‌ ରେଳ ବିଭାଗ ନିର୍ମାଣ କରିଛି। ଏହାବ୍ୟତୀତ ସି-ବ୍ଲକ୍‌ ନିକଟରେ ୧ହଜାର ଯାତ୍ରୀ ଆଶ୍ରୟ ନେଇପାରିବେ। ଏହାବ୍ୟତୀତ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୨ଟି ଯାତ୍ରୀ ବିଶ୍ରାମଗାର ବ୍ୟବସ୍‌୍ଥା କରାଯାଇଛି।

ସ୍ବାସ୍ଥ୍ୟ ପରାମର୍ଶ ପାଇଁ ୩୫ ଆଶୁ ଚିକିତ୍ସା କେନ୍ଦ୍ର
ବଡ଼ଦାଣ୍ଡ ଓ ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅସ୍ଥାୟୀ ଭାବେ ୩୫ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିଛି। ରଥଯାତ୍ରା ପାଇଁ ୨୪୫ ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ୍‌, ଖାଦ୍ୟ ସୁରକ୍ଷା ଅଧିକାରୀ, ରେଡିଓଗ୍ରାଫର ନିୟୋଜିତ ହୋଇଛନ୍ତି। ପୁରୀ ସହରାଞ୍ଚଳରେ ଡାକ୍ତରଖାନାରେ ୧୫୫ଟି ଅତିରିକ୍ତ ଶଯ୍ୟା, ଗ୍ରାମାଞ୍ଚଳରେ ୫୨ଟି ଅତିରିକ୍ତ ଶଯ୍ୟା ବ୍ୟବସ୍‌୍ଥା ହୋଇଛି। କେବଳ ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍‌୍ଥା ହୋଇଛି। ୮ ଜଣ ଖାଦ୍ୟ ନୀରିକ୍ଷକ ନିୟୋଜିତ ହୋଇଛନ୍ତି। ୩୮ଟି ଆମ୍ବୁଲାନ୍ସର ବ୍ୟବସ୍‌୍ଥା ହୋଇଛି। ଚଳିତ ବର୍ଷ ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ନିମିତ୍ତ ୨ଟି ସ୍ଥାନରେ ଯଥା, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ଓ ବାଗେଡ଼ିଆ ଧର୍ମଶାଳାରେ ଅଂଶୁଘାତ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ସମଯାଜପୁର ଓ ମାଳତୀପାଟପୁର ଛକରେ ୨ଟି ଲେଖାଏଁ ଆମ୍ବୁଲାନ୍ସ ମୁତୟନ ହେବ। ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଦିନ ସର୍ଜରି ସ୍ପେସାଲିଷ୍ଟ ରହିବେ। ୨ଟି କାଜୁଆଲିଟି କାର୍ଯ୍ୟକ୍ଷମ ହେବ।

୨୦୦ ଅସ୍ଥାୟୀ ଶୌଚାଳୟ
ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୨୦୦ଟି ପାଇଖାନା ଓ ପରିସ୍ରାଗାରର ବ୍ୟବସ୍‌୍ଥା କରାଯାଇଛି। ମଶା ନିରାକରଣ ପାଇଁ ହାଡ଼ିଗୋହିରୀରେ ମଶାମରା ତେଲ ସିଞ୍ଚନ କରାଯାଉଛି। ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ନହେବା ଲାଗି ୬୯ଟି ଜାଗାରେ ୮୭୨ଟି ଏଲ୍‌ଇଡି ଲାଇଟ ସ୍ଥାପନ ହୋଇଛି। ତାଳବଣିଆ, ଜିଲ୍ଲାସ୍କୁଲ, ବଳିଆପଣ୍ଡା, ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ଓ ତୀର୍ଥ ପୁଷ୍କରିଣୀରେ ଆଲୋକ ବ୍ୟବସ୍‌୍ଥା ହୋଇଛି।

ବଳଗଣ୍ଡି ହାଇସ୍କୁଲ ଛାତରେ ଦିବ୍ୟାଙ୍ଗଙ୍କ ଦର୍ଶନ ବ୍ୟବସ୍ଥା
ବଡ଼ଦାଣ୍ଡରେ ରଥ ଗଡ଼ିବା ସମୟରେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ ସହ ରଥଯାତ୍ରାକୁ ଉପଭୋଗ କରିବା ପାଇଁ ଦିବ୍ୟାଙ୍ଗଙ୍କ ଲାଗି ବଳଗଣ୍ଡି ହାଇସ୍କୁଲ ଛାତ ଉପରେ ଟେଣ୍ଟ୍‌ ବ୍ୟବସ୍‌୍ଥା କରାଯାଇଛି। ସେମାନଙ୍କୁ ସହାୟତା କରିବା ଲାଗି ତାଳବଣିଆ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍‌ରେ ଦୁଇଟି ସହାୟତା କେନ୍ଦ୍ର ସହ ନେବା ଆଣିବା ପାଇଁ ୧୦ଟି ବ୍ୟାଟେରି ଚାଳିତ ଗାଡ଼ିର ବନ୍ଦୋବସ୍‌୍ତ କରାଯାଇଛି। ସ୍ବତନ୍ତ୍ର ଭାବେ ନିୟୋଜିତ ସ୍ବେଚ୍ଛାସେବୀମାନଙ୍କ ସହଯୋଗରେ ଦିବ୍ୟାଙ୍ଗମାନେ ଟେଣ୍ଟରେ ପହଞ୍ଚି ଦର୍ଶନ କରିବେ ଓ ଫେରିବେ। ରଥଯାତ୍ରା ପରଦିନଠାରୁ ବରିଷ୍ଠ ନାଗରିକଙ୍କ ସହଜ ଓ ସୁରକ୍ଷିତ ଦର୍ଶନ ଶ୍ରୀଗୁଣ୍ଡିଚା ମନ୍ଦିରରେ କରାଯିବ। ସନ୍ଧ୍ୟାଦର୍ଶନ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ୫୦ ଜଣ ସ୍ବେଚ୍ଛାସେବୀ ସ୍ବତନ୍ତ୍ର ଡ୍ରେସ କୋର୍ଡରେ ଏହି ସେବା ଯୋଗାଇଦେବେ।

ନିଖୋଜ ଶିଶୁଙ୍କ ପାଇଁ ୨୪ ଘଣ୍ଟିଆ ସେବା
ରଥଯାତ୍ରାର ଭିଡ଼ ମଧ୍ୟରେ ହଜିଯାଉଥିବା ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲ୍ଲାରେ ଥିବା ୮ଟି ଶିଶୁ ଯତ୍ନ ଅନୁଷ୍ଠାନରେ ଅତିରିକ୍ତ ୨ଶହ ହଜିବା ପିଲାଙ୍କୁ ରଖିବାର ବ୍ୟବସ୍ଥା କରାଯିବ। ରଥଯାତ୍ରାରେ କେବଳ ପିଲାମାନଙ୍କୁ ସହଯୋଗ କରିବା ପାଇଁ ସ୍ବତନ୍ତ୍ର ଭାବେ ୧୫ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ହଜିଯାଉଥିବା ପିଲାମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ନିକଟରେ ଉପସ୍ଥାପନ କରିବାର ବିଧି ରହିଥିବା ବେଳେ ଏଥର ଅନ୍‌ଲାଇନ୍‌ରେ ହଜିଯାଇଥିବା ପିଲାମାନଙ୍କୁ ଉପସ୍ଥାପନ କରାଯିବ। ଅର୍ଥାତ ହଜିଯାଉଥିବା ପିଲାମାନଙ୍କୁ ଭିଡିଓ ଜରିଆରେ ଉପସ୍ଥାପନ କରାଯାଇ ବ୍ୟବସ୍ଥେକୁ ତ୍ବରାନ୍ବିତ କରାଯିବ। ଗୁଣ୍ଡିଚା ଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ନିରନ୍ତର ଏହି ସେବା ଯୋଗାଇ ଦିଆଯିବ। ସିଡବ୍ଲୁସି ୨୪ ଘଣ୍ଟା କାର୍ଯ୍ୟ କରିବ। ପଲ୍ଲିଶ୍ରୀ ମେଳା ମଧ୍ୟରେ ଶିଶୁ ସୁରକ୍ଷା ନେଇ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯିବ। ସ୍ବେଚ୍ଛାସେବୀମାନେ ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍‌ଡ ଲାଇନ୍‌ ସହଯୋଗରେ ହଜିବା ପିଲାଙ୍କୁ ସହଯୋଗ କରିବେ।

ସମ୍ବନ୍ଧିତ ଖବର