ଆରମ୍ଭ ହେଲା ତିନି ରଥର ସ୍ଥାନାନ୍ତର ପ୍ରକ୍ରିୟା

ପୁରୀ: ଚଳିତ ବର୍ଷର ତିନି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ସଂରକ୍ଷିତ ରଖାଯିବ। ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି‌ ନେଇଛି। ଏହି କ୍ରମରେ ଆଜି ଠାରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ୨୫ ଦିନ ଭିତରେ ଶେଷ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶ (ଚିଠି ନଂ-୫୭୮୧/୨୭.୭.୨୦୨୦) ଅନୁଯାୟୀ, ସିଂହଦ୍ବାରରେ ଅଟକି ରହିଥିବା ତିନିରଥ ଭଙ୍ଗା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ତିନିରଥର ମୁଖ୍ୟ ମହାରଣା, କମାର ସେବକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଉପରୋକ୍ତ ସେବକମାନେ ଆବଶ୍ୟକ ଲୋକ ଲଗାଇ ରଥଭଙ୍ଗା ସହ ଜଗନ୍ନାଥ ବଲ୍ଲଭକୁ ଏହାକୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବେ। ଏ ବାବଦରେ ପ୍ରତ୍ୟେକଙ୍କୁ ୨୦୨୦ ବର୍ଷ ପାଇଁ ସ୍ଥିରୀକୃତ ମଜୁରି ଅନୁଯାୟୀ ଗୋଟିଏ ଲେଖାଏଁ ମଜୁରି ପ୍ରଦାନ କରାଯିବ। ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସହକାରୀ ଯନ୍ତ୍ରୀ ଗୋକୁଳାନନ୍ଦ ସାବତଙ୍କୁ କାମ ଅନୁଧ୍ୟାନ ଦାୟିତ୍ବ ଦିଆଯାଇଛି। ତାଙ୍କ ଉପସ୍ଥିତିରେ ତିନିରଥରୁ ଅକ୍ଷୁର୍ଣ୍ଣ ଓ ସୁରକ୍ଷିତ କାଠ, ପଟା ଆଦି ଖୋଲାଯିବ ଓ ସ୍ଥାନାନ୍ତର ହେବ। ରଥଭଙ୍ଗା ସମୟରେ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ।

ରଥ ଖୋଲାଯିବା ଦିନ ଠାରୁ ଭଙ୍ଗା ଶେଷ ହୋଇ କାଠପଟା ସ୍ଥାନାନ୍ତର ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନର ଶ୍ରମିକ ମଜୁରି, ଟ୍ରକ୍‌ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବୁଝାବୁଝି ଦାୟିତ୍ବ ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କୁ ଦିଆଯାଇଛି। ଏହି କାର୍ଯ୍ୟ ପାଇଁ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ବାକି କାର୍ଯ୍ୟ ଶେଷ ହେବା ପରେ ବିଲ୍‌ ଦାଖଲ ପରେ ପ୍ରାପ୍ୟ ପ୍ରଦାନ କରାଯିବ। ଜଗନ୍ନାଥବଲ୍ଲଭକୁ କାଠ ସ୍ଥାନାନ୍ତର ହେବା ପରେ ସେଠାରେ ଏହି କାଠର ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଂସ୍ଥାର ଉପବିଭାଗକୁ ଆଦେଶ ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କିତ ଆଦେଶର ଚିଠି ସଂପୃକ୍ତ ସେବାୟତ, ଅଧିକାରୀ, କର୍ମଚାରୀଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ଜଗନ୍ନାଥ ବଲ୍ଲଭ ପରିସରରେ ଏକ ବିଶ୍ବସ୍ତରୀୟ ସଂଗ୍ରହାଳୟ କରିବାକୁ ଯୋଜନା କରିଛି। ଏଠାରେ ତିନିରଥକୁ ସାଇତି ରଖିବାର ପ୍ରସ୍ତାବ ରହିଥିଲା। ଚଳିତବର୍ଷ କଟକଣା ଭିତରେ ବିନା ଭକ୍ତରେ ହୋଇଥିବା ରଥଯାତ୍ରା ଇତିହାସ ସୃଷ୍ଟି କରିଥିବାରୁ ଚଳିତବର୍ଷର ତିନି ରଥକୁ ସାଇତି ରଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି କିଛିଦିନ ତଳେ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର