ଶିଆଳି ଲତାର ଦଉଡ଼ିରେ ହୁଏ ରଥଟଣା

କେନ୍ଦୁଝର: ରଥଯାତ୍ରାରେ ରଥ ଟାଣିବାପାଇଁ ଆବଶ୍ୟକ ପଡ଼େ ଦଉଡ଼ି। ସବୁଆଡ଼େ ରଥ ଟାଣିବାପାଇଁ ନଡ଼ିଆ କତାରେ ପ୍ରସ୍ତୁତ ଦଉଡ଼ି ବ୍ୟବହାର ହେଉଥିବା ବେଳେ କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀବଳବେଜିଉଙ୍କ ସର୍ବବୃହତ ରଥ ଟାଣିବା ପାଇଁ ଶିଆଳି ଲତାର ଦଉଡ଼ି ପ୍ରସ୍ତୁତ ହୋଇଥାଏ। ଯାହା ସମ୍ପୂର୍ଣ୍ଣ ଭାବେ ନିଆରା।

ପୌରାଣିକ କଥା ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଶିଆଳି ଲତାରେ ଖେଳୁଥିବା ବେଳେ ଜାରା ଶବର ତୀରରେ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ କେନ୍ଦୁଝରରେ ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହେଲା, ତତ୍କାଳୀନ ରାଜା ଶ୍ରୀକୃଷ୍ଣଙ୍କ ପ୍ରିୟ ଶିଆଳି ଲତାରେ ପ୍ରସ୍ତୁତ ଉଉଡ଼ିରେ ରଥ ଟାଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେତେବେଳେ ଭୂୟାଁ ଓ ଜୁଆଙ୍ଗମାନଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ୫ଟା ଦଉଡ଼ିରେ ରଥ ଟଣା ଯାଉଥିଲା। ଏଥିରୁ ଭୂୟାଁ ପିଢ଼ର ପ୍ରଜାମାନେ ୩ଟି ଦଉଡ଼ି ଯୋଗାଉଥିବା ବେଳେ ଅବଶିଷ୍ଟ ଦୁଇଟି ଦଉଡ଼ି ଜୁଆଙ୍ଗ ପିଢ଼ର ପ୍ରଜାମାନେ ଦେଉଥିଲେ। ରାଜାରାଜୁଡ଼ା ସମୟ ଶେଷ ହେବା ପରେ ଦେଶରେ ଗଣତନ୍ତ୍ର ଆରମ୍ଭ ହେଲା। କିଛିବର୍ଷ ପର୍ଯ୍ୟନ୍ତ ରଥଟଣାରେ ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ି ବ୍ୟବହାର ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ପୁଣିଥରେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ରଥ ଟଣିବା ପାଇଁ ଚାରିଗାଁ ଭୂୟାଁ ପିଢ଼ ସର୍ଦାର କୁଞ୍ଜ ଦେହୁରୀଙ୍କ ନେତୃତ୍ୱରେ ଦଉଡ଼ି ତିଆରି ହେଉଛି। ଏବେ ରଥ ଟାଣିବା ପାଇଁ ମାତ୍ର ତିନିଟି ଦଉଡ଼ି ପ୍ରସ୍ତୁତ କରାଯାଉଛି। ରଥଯାତ୍ରାର ବହୁ ପୂର୍ବରୁ ଭୂୟାଁ ସମ୍ପ୍ରଦାୟର ଲୋକେ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରିଥାନ୍ତି। ତା‌ହାକୁ ଶୁଖାଇ ଦଉଡ଼ି ପ୍ରସ୍ତୁତ କରନ୍ତି। ରଥ ଦଉଡ଼ି ବଡ଼ଦାଣ୍ଡରେ ପହଞ୍ଚିବା ପରେ ଏହାର ନାମକରଣ କରାଯାଇଥାଏ। ଅନନ୍ତ, ବାସୁକି ଓ ମହାପଦ୍ମ ନାମରେ ନାମିତ କରାଯାଇଥାଏ। ପରେ ଏହାକୁ ରଥ ଟଣାରେ ବ୍ୟବହାର କରାଯାଇଥାଏ।

ସମ୍ବନ୍ଧିତ ଖବର