କଟାଯିବ ୬୮୧ ଖଣ୍ଡ, ପୂର୍ବ ବର୍ଷର ରହିଛି ୧୮୪ ଖଣ୍ଡ

Advertisment

ନୟାଗଡ଼/ ପୁରୀ : ଶ୍ରୀକ୍ଷେତ୍ରରେ ଆଗାମୀ ରଥଯାତ୍ରା ପାଇଁ ଆସନ୍ତାକାଲି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ବଡ଼ମୂଳ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ରଥକାଠ କଟା ଅନୁକୂଳ ହେବ। ଏଥି ପାଇଁ ଆଜି ରାତି ପ୍ରାୟ ୮ଟାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରତିନିଧି ଦଳ ବଡ଼ ଠାକୁରଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ଧରି ନୟାଗଡ଼ରେ ପହଞ୍ଚିଛନ୍ତି। ପ୍ରତିନିଧି ଦଳଙ୍କୁ ଆଜି ନୟାଗଡ଼ରେ ଭବ୍ୟ ସ୍ୱାଗତ କରାଯାଇଛି। ଆସନ୍ତାକାଲି ସକାଳ ୯ ଟାରୁ ଏହି ଦଳ ବଡ଼ରାଉଳ ଠାକୁରାଣୀଙ୍କ ପୀଠକୁ ଯାତ୍ରା କରିବେ। ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଯଥାରୀତି ପୂଜାର୍ଚ୍ଚନା ପରେ ନୟାଗଡ଼ ବନଖଣ୍ଡ ଅଧୀନରେ ଥିବା ଜଙ୍ଗଲରୁ କାଠ କାଟିବା କାର୍ଯ୍ୟକ୍ରମ ଆରମ୍ଭ ହେବା ରୀତି ରହିଛି। ଆଗାମୀ ରଥଯାତ୍ରାରେ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୬୮୧ ଖଣ୍ଡ କାଠ କଟାଯିବାର କାର୍ଯ୍ୟକ୍ରମ ରହିଛି।

ସହକାରୀ ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ରାତିରେ ମନ୍ଦିର ଉପପ୍ରଶାସକ ସରୋଜ କୁମାର ରାୟଙ୍କ ନେତୃତ୍ଵରେ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ୱାର୍କ ସରକାର କାର୍ତ୍ତିିକ ଭୋଇ, ଭୋଇ ସର୍ଦ୍ଦାର ରବି ଭୋଇ ଆଜ୍ଞାମାଳ, ମାହାର୍ଦ୍ଦ, ଧୂପ, ଦୀପ ଚନ୍ଦନ ଆଦି ନେଇ ନୟାଗଡ଼ରେ ପହଞ୍ଚିଛନ୍ତି। ଆସନ୍ତାକାଲି ଆଜ୍ଞାମାଳ, ମାହାର୍ଦ୍ଦ ଆଦି ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଞ୍ଚିବା ପରେ ଯଥାରୀତି ପୂଜାର୍ଚ୍ଚନା ପରେ ମା’ଙ୍କ ଅନୁମତି ନେଇ କାଠକଟା ଆରମ୍ଭ ହେବ। ଆଗାମୀ ରଥଯାତ୍ରାରେ ତିନି ଠାକୁରଙ୍କ ରଥ ନିର୍ମାଣ ଓ ଅନ୍ୟାନ୍ୟ କାମ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୮୬୫ ଖଣ୍ଡ ଆବଶ୍ୟକ କରୁଥିବାବେଳେ ପୂର୍ବ ବର୍ଷର ୧୮୪ ଖଣ୍ଡ କାଠ ବଳଛି। ବାକି ୬୮୧ ଖଣ୍ଡ କାଠ ନୟାଗଡ଼ ବନଖଣ୍ଡ ଓ ବୌଦ୍ଧ ବନଖଣ୍ଡରୁ କଟାଯିବାର କାର୍ଯ୍ୟକ୍ରମ ରହିଛି। ୬୮୧ ଖଣ୍ଡ କାଠ ମଧ୍ୟରୁ ନୟାଗଡ଼ ବନଖଣ୍ଡରୁ ୪୫୦ ଖଣ୍ଡ ଓ ବୌଦ୍ଧ ବନଖଣ୍ଡରୁ ୨୫୬ ଖଣ୍ଡ କାଠ ଯିବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଫାଶୀ, ଧଉରା, ଅସନ, ଶିମିଳି କାଠ ଅନ୍ତର୍ଭୁକ୍ତ ରହିଛି।

ଶ୍ରୀ ହୋତାଙ୍କ ସୂଚନା ମୁତାବକ, ତିନି ରଥ ପାଇଁ ଫାଶୀ କାଠ ୧୪ ଫୁଟ ଲମ୍ବ ୬ ଫୁଟ ଗୋଲେଇର ୭୨ ଖଣ୍ଡ, ଧଉରା କାଠ ୪୦ ଫୁଟ ଲମ୍ବ ଓ ୩ ଫୁଟ ୬ ଇଞ୍ଚ ଗୋଲେଇର ୪୯ ଖଣ୍ଡ, ଧଉରା କାଠ ୨୦ ଫୁଟ ଲମ୍ବ ଓ ୬ ଫୁଟ ଗୋଲେଇର ୬ ଖଣ୍ଡ, ଅସନ କାଠ ୪୦ ଫୁଟ ଲମ୍ବ ଓ ୩ ଫୁଟ ୬ ଇଞ୍ଚ ଗୋଲେଇର ୩୦ ଖଣ୍ଡ, ଶିମିଳି କାଠ ୧୪ ଫୁଟ ଲମ୍ବ ଓ ୬ ଫୁଟ ଗୋଲେଇର ୩ ଖଣ୍ଡ, ଧଉରା ୧୨ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇର ୧୭୬ ଖଣ୍ଡ, ଅସନ କାଠ ୧୨ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇର ୧୫୪ ଖଣ୍ଡ, ଧଉରା କାଠ ୨୦ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇର ୭୮ ଖଣ୍ଡ, ଅସନ କାଠ ୨୦ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇର ୮୦ ଖଣ୍ଡ, ଧଉରା କାଠ ୨୦ ଫୁଟ ଲମ୍ବ ଓ ୫ ଫୁଟ ଗୋଲେଇର ୧୨ ଖଣ୍ଡ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ରଥକାଠ କାଟିବା ପାଇଁ ଅନୁମତି ପରେ କାଠ କାଟି ପର୍ଯ୍ୟାୟକ୍ରମେ ପୁରୀ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଅଭିଯାତ୍ରୀ ଦଳ ଆଜି ଅପରାହ୍ନ ୪ଟା ବେଳେ ଶ୍ରୀମନ୍ଦିର ଯାଇ ପାରମ୍ପରିକ ଋତୀରେ ଲାଗି ମାଳ, ମାହାର୍ଦ୍ଦ ଓ ଲାଗୁଖଣ୍ଡୁଆ ସଂଗ୍ରହ କରିବା ପରେ ସେମାନେ ସିଂହଦ୍ଵାର ଠାରୁ ଯାତ୍ରା ଆରମ୍ଭ କରିଥିଲେ।