ରଥ ଖଳା ହାଲଚାଲ: ପଡ଼ିଲା ଦଣ୍ଡା, ଚଉତା କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ପ୍ରାୟ ଦୁଇ ମାସ ବାକିଥିବାବେଳେ ଏଥିପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ବିଶ୍ୱକର୍ମାଙ୍କଠାରୁ ଆରମ୍ଭ କରି ରୂପକାର ସେବକ, ଭୋଇ ସେବକ, କମାର ସେବକମାନେ ସେବା କାଯ୍ୟକୁ ତ୍ଵରାନ୍ଵିତ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଆଜିକୁ ୨୫ ଦିନ ପୂରିଛି। ଆଜିର ଦିନରେ ବିଶ୍ୱକର୍ମାମାନେ ଚକ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ସହ ଦଣ୍ଡା(ଚେଚିସ୍‌) ଓ ଚଉତା କାମ ବି ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ୪୦ ଫୁଟିଆ ଦଣ୍ଡା କାଠ ୨୫ଟି ଓ ପାର୍ଶ୍ୱ ମୁହାଣ୍ଟ ପାଇଁ ୬ଟି କାଠ ଆବଶ୍ୟକ ଥିବାବେଳେ ଆଜି ପ୍ରାଥମିକ ପର୍ଯ୍ୟାୟରେ ତିନି ରଥ ପାଇଁ ତିନୋଟି ଦଣ୍ଡାକାଠ ପଡ଼ିଛି। ଭୋଇସେବକମାନେ ଆଜି ଅପରାହ୍‌ଣ ସୁଦ୍ଧା ଏହି ସବୁକାଠ ରଥଖଳାରେ ପକାଇଛନ୍ତି। ନନ୍ଦିଘୋଷ ରଥ ପାଇଁ ୯ଟି, ତାଳଧ୍ୱଜ ରଥ ପାଇଁ ୯ଟି ଓ ଦର୍ପଦଳନ ରଥ ପାଇଁ ୭ଟି ଦଣ୍ଡା କାଠ ଆବଶ୍ୟକ ଥିବାବେଳେ ଆଜି ତିନି ରଥ ପାଇଁ ଗୋଟିଏ ଲେଖାଏଁ କାଠ ପଡ଼ିଛି ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ସେହିପରି ତିନି ରଥ ପାଇଁ ପାର୍ଶ୍ୱ ମୁହାଣ୍ଟ ୨ଟି ଲେଖାଏଁ ୬ଟି କାଠ ଆବଶ୍ୟକ ଥିବାବେଳେ ଆଜି ୬ଟି ଯାକ କାଠ ରଥଖଳାରେ ପକାଯାଇଛି। ଗତକାଲି ରଥଖଳାରେ ଗୟଳ କାଠ ପକା ଯାଇଥିଲା ବୋଲି ଶ୍ରୀ ଭୋଇ କହିଛନ୍ତି। ତିନି ରଥ ପାଇଁ ୪୨ ଚକ(ନନ୍ଦିଘୋଷ-୧୬, ତାଳଧ୍ୱଜ-୧୪ ଓ ଦର୍ପଦଳନ-୧୨) ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ୨୧ ଅଖ ଆବଶ୍ୟକ। ଉଉଁରୀ ତିଥିରେ ୩ ଅଖର ଅନୁକୂଳ କାମ ସରିଥିବାବେଳେ ବାକି ୧୮ ଅଖ ପାଇଁ ଆବଶ୍ୟକ କାଠ ପର୍ଯ୍ୟାୟକ୍ରମେ ପକାଯାଉଥିବା ଓ ଏହି କାମ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି। ଚଉତା ପାଇଁ ଆବଶ୍ୟକ କାଠ ରଥଖଳାରେ ପକାଯାଇଛି। ଗତକାଲି ଗୟଳ କାଠ ବି ରଥଖଳାରେ ପଡ଼ିଛି। ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ଆବଶ୍ୟକ ମୁତାବକ, ନାହାକା, ଗାରେଡ଼ି, ଯୋଖା, ଢ଼ମକ, ପାଗ, ଚଉଦ ନାହାକା, ଛକାଠ ଅଁଳା, କଳସ, ଖପୁରୀ, ପାରାବାଢ଼ି, ବଡ଼ ପୋଟଳ, ପୋଟଳ ଓରା, ପୋଟଳ ଖଣ୍ଡି କାଠ ରଥଖଳାରେ ପଡ଼ିବ ବୋଲି ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧିତ ଖବର