ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ନିର୍ମାଣ ତ୍ୱରାନ୍ୱିତ; ଚଳଚଞ୍ଚଳ ରଥଖଳା, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବା ନେଇ ବିଶ୍ୱାସ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ସୁଖ୍ୟାତି ଅର୍ଜନ କରିଥିବା ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ବାରିପଦାରେ ମଧ୍ୟ ରଥ କାମ ପାଇଁ ରଥଖଳା ଚଳଚଞ୍ଚଳ ହୋଇପଡ଼ିଛି। ଯଦିଓ ମହାମାରୀ କରୋନା ପାଇଁ ଭକ୍ତମାନେ ରଥ ଟାରିପାରିବେ କି ନାହିଁ ତାହା ନିର୍ଦ୍ଦିଷ୍ଟ ହୋଇନାହିଁ, ମାତ୍ର ରଥ କାମ ଆଗେଇ ଚାଲିଛି। ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣୁଥିବାରୁ ଏହା ବିଶ୍ବରେ ଖ୍ୟାତି ଅର୍ଜନ କରିଛି। ପୂର୍ବରୁ ରଥ ନିର୍ମାଣ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ ପାଇଁ ଗତମାସ ୧୫ରେ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ବାରିପଦା ଦେବୋତ୍ତର କାର୍ଯ୍ୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।

ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ନେତୃତ୍ବରେ ନିର୍ମାଣ କାର୍ଯ୍ୟ ଜୋର୍ ସୋରରେ ଆଗେଇ ଚାଲିଛି। କରୋନା ଜନିତ କଟକଣାକୁ ପାଳନ ପୂର୍ବକ ସାମାଜିକ ଦୂରତ୍ୱ ବଜାୟ ରଖି, ମାସ୍କ ପରିଧାନ କରି ମହାରଣାମାନେ ରଥ କାମରେ ଲାଗିପଡିଛନ୍ତି । ଆସନ୍ତା ମାସ ୨୩ ତାରିଖରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଥିବାରୁ ଜୁନ୍ ମାସ ୨୦ ତାରିଖ ପୂର୍ବରୁ ରଥ ନିର୍ମାଣ ସମାପ୍ତ ନିମନ୍ତେ କୁହାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ କାମ ସରିବାନେଇ ରଥ ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ଲୀଳା ହେଲେ ଭକ୍ତମାନେ ରଥ ଟାଣିବାର ଅପୂର୍ବ ସୌଭାଗ୍ୟ ଲାଭ କରିବେ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର