ପୁରୀ: ଦିନ କେଇଟା ପରେ ଜନ୍ମବେଦିକୁ ଯାତ୍ରା କରିବେ ଲୀଳାମୟ ମହାପ୍ରଭୁ। ଏଥିପାଇଁ ଅକ୍ଷୟ ତୃତୀୟାରୁ ବାଜିଛି ରଥଯାତ୍ରାର ଶୁଭଶଙ୍ଖ। ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ। ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି। ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସମେତ ଅନ୍ୟ ସେବକମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ରଥ ନିର୍ମାଣ ପୂର୍ବରୁ ଶ୍ରୀନଅର ସମ୍ମୁଖରେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ ପର୍ବ କରାଯାଇଥିଲା। ଅସ୍ଥାୟୀ ଯଜ୍ଞଶାଳାରେ ୩ଟି ଧଉରା କାଠ ରଖାଯାଇ ହୋମଯଜ୍ଞ କରାଯାଇଥିଲା। ପୂର୍ବରୁ ସ୍ବତନ୍ତ୍ର ମଣି ବିମାନରେ ଚଳନ୍ତି ପ୍ରତିମା ବିଜେ କରିଥିଲେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ମଣି ବିମାନରେ ଚାପ ଖେଳିବାକୁ ଯିବା ପୂର୍ବରୁ କିଛି ସମୟ ଅପେକ୍ଷା କରି ରଥକାଠ ଆଡ଼କୁ ମୁହଁ କରି ରହିଥିଲେ। ଆଗରେ ରାମ-କୃଷ୍ଣ ପାଲିଙ୍କିରେ ଏବଂ ପଞ୍ଚ ମହାଦେବ ଶ୍ରୀଯମ୍ବେଶ୍ବର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ବର ଓ ଶ୍ରୀନୀଳକଣ୍ଠେଶ୍ବର ରଥଖଳା ନିକଟରେ ରଥକାଠ ଅନୁକୂଳ ପର୍ଯ୍ୟନ୍ତ ରହିଥିଲେ। ୪ଟା ୪୫ରେ ମଣି ବିମାନରେ ଠାକୁର ବାହାରିଥିବା ବେଳେ ୫ଟା ୪୦ରେ ରଥଖଳାରେ ପହଞ୍ଚିଥିଲେ। ତିନି ବାଡ଼ର ପୂଜାପଣ୍ଡା ସେବକମାନେ ୩ ରଥର ଆଜ୍ଞାମାଳ ଶ୍ରୀମନ୍ଦିରରୁ ଯଜ୍ଞସ୍ଥଳକୁ ଆଣି ବିଜେ କରିଥିଲେ। ପୂର୍ବରୁ ଯଜ୍ଞସ୍ଥଳରେ ରଖାଯାଇଥିବା ତିନି ଧଉରା କାଠରେ ଖଣ୍ଡୁଆ ସହ ଆଜ୍ଞାମାଳ ଲାଗି କରାଯାଇଥିଲା। ବିଧି ଅନୁଯାୟୀ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ୩ଟି ଛୋଟ କୁରାଢ଼ି ଆସିଥିଲା। ଦେଉଳ ପୁରୋହିତ ରଥଖଳାରେ ଥିବା ୩ ଧଉରା କାଠକୁ ସୁନା କୁରାଢ଼ିରେ ସ୍ପର୍ଶ କରି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ପରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ତାଳଧ୍ବଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର ଏବଂ ଦେବଦଳନ ରଥର ମୁଖ୍ୟ ମହାରଣା ନାରାୟଣ ମହାରଣା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ରଖାଯାଇଥିବା ଉଦ୍ଦିଷ୍ଟ କାଠରେ ନଡ଼ିଆ ବାଡ଼େଇଥିଲେ। କୁରାଢ଼ିରେ ଛେଦନ କରି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଆସନ୍ତାକାଲିଠାରୁ ରଥର ତୁମ୍ବ ତିଆରିରୁ ରଥ ନିର୍ମାଣ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟରେ ତିନି ରଥ ପାଇଁ ୩ ଜଣ ଲେଖାଏଁ ମହାରଣା କାର୍ଯ୍ୟ ଆରମ୍ଭ କରିବେ। ରଥ ସଂହିତା ଅନୁକରଣ ପୂର୍ବକ ସରସ୍ବତୀ ପୂଜାରେ ରଥ କାଠ ଅନୁକୂଳ ଏବଂ ଶ୍ରୀରାମ ନବମୀରେ ରଥ କାଠ ଚିରଟ ଆରମ୍ଭ ହୋଇଥିଲା। ଆଜି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି। ଶାଢ଼ି ବନ୍ଧାଇବା ପରେ ୩ ରଥର ବିଶ୍ବକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଭଉଁରୀରେ ରଥ ଚକଡେରା ଆରମ୍ଭ ହୋଇ ଶୀତଳ ଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ। ଆଜିଠୁ ଠିକ୍ ୫୯ ଦିନରେ ରଥ କାର୍ଯ୍ୟ ସମ୍ପନ୍ନ ହେବା ପରେ ପ୍ରଭୁ ଜୁନ ୨୭ରେ ଏହି ରଥରେ ବିଜେ କରି ଗୁଣ୍ଡିଚା ଯାତ୍ରା କରିବେ। ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ ଅଗ୍ରୱାଲ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ତିନି ରଥର ମୁଖ୍ୟ ମହାରଣା, ରଥର ଅନ୍ୟ ସେବକ ଓ ଅଧିକାରୀବୃନ୍ଦ ରଥ କାଠକୁ ମୁଣ୍ଡିଆ ମାରି ରଥ ନିର୍ମାଣ କାର୍ଯ୍ୟର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/01/8f0BriB57MmMwgJmyuWx.jpg)