ପୁରୀ: ଚଳିତବର୍ଷର ଅଣସର ନୀତି ଓ ଶ୍ରୀଗୁଣ୍ଡିଚା ଯାତ୍ରାକୁ ନେଇ ପୂଜାପଣ୍ଡା ଓ ଦଇତାପତି ସେବକଙ୍କ ମଧ୍ୟରେ ମୁଣ୍ଡ ଟେକିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ପଟିଦିଅଁଙ୍କଠାରୁ ରଥ ଆଜ୍ଞାମାଳ ରଥଖଳାକୁ ବିଜେ କରିବ। ରଥ ଆଜ୍ଞାମାଳ ଲାଗି ପରେ ନବନିର୍ମିତ ତିନିରଥ ଠାକୁରଙ୍କ ପହଣ୍ଡି ପୂର୍ବଦିନ ସିଂହଦ୍ବାର ଚକଡ଼ାକୁ ବିଜେ କରିବେ। ନୀଳାଦ୍ରି ମହୋଦୟ ଶାସ୍ତ୍ର ଆଧାରରେ ଏହି ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ଯାହାକୁ ସର୍ବସମ୍ମତି ବି ମିଳିଛି। ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ତିନିରଥର ପ୍ରତିଷ୍ଠା ହୁଏ। ଏହାପୂର୍ବରୁ ତିନିରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ସିଂହଦ୍ବାର ଚକଡ଼ାକୁ ବିଜେ କରନ୍ତି ଏବଂ ଉତ୍ତରମୋଡ଼ ହୋଇ ରହିଥାନ୍ତି। ସିଂହଦ୍ବାର ଚକଡ଼ାକୁ ବିଜେ ପୂର୍ବରୁ ତିନି ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ହେବାର ବିଧି ରହିଛି। ଚଳିତବର୍ଷ ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ସହ ଉଭା ଯାତ୍ରା ଓ ନେତ୍ରୋତ୍ସବ। କ୍ଷୟ ପଡ଼ୁଥିବାରୁ ୧୫ ଦିନ ବଦଳରେ ୧୩ ଦିନ ଅଣସର। ଏଭଳି ସ୍ଥିତିରେ ରଥଯାତ୍ରା ନୀତି ସମ୍ପୃକ୍ତ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣିବାକୁ ଅଡ଼ି ବସିଥିବା ବେଳେ ଦଇତାପତିମାନେ ପଟଦିଅଁଙ୍କଠାରୁ ଆଜ୍ଞାମାଳ ନେବାକୁ ଅଡ଼ି ବସିଥିଲେ।

Advertisment

ପଟିଦିଅଁଙ୍କଠାରୁ ଆସିବ ଆଜ୍ଞାମାଳ
ନୀଳାଦ୍ରି ମହୋଦୟ ଶାସ୍ତ୍ରର ତର୍ଜମା ପରେ କଳିରେ ପୂର୍ଣ୍ଣଛେଦ
ମହାପ୍ରଭୁଙ୍କଠାରୁ ଆଣିବାକୁ ଅଡ଼ି ବସିଥିଲେ ପୂଜାପଣ୍ଡା, ପଟିଦିଅଁଙ୍କଠାରୁ ଦଇତାପତି
୬ ତାରିଖରେ ରଥ ଆଜ୍ଞାମାଳ ବିଜେ

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପୂଜାପଣ୍ଡା ନିଯୋଗ ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କ କହିବା ଅନୁଯାୟୀ, ଚଳିତବର୍ଷ ଭଳି ୧୯୦୯ ମସିହା ଓ ୧୯୭୧ ମସିହାରେ ବିରଳ ରଥଯାତ୍ରା ପଡ଼ିଥିଲା। ୧୯୦୯ ମସିହାରେ ସୂର୍ଯ୍ୟପରାଗ ଭିତରେ ଓ ୧୯୭୧ରେ ୧୩ ଦିନରେ ଅଣସର ନୀତି ସମ୍ପନ୍ନ ହୋଇଥିଲା। ୧୯୭୧ ମସିହାରେ ରାତି ୭ଟାରୁ ୭ଟା ୨୦ ଭିତରେ ପ୍ରତୀକାତ୍ମକ ଭାବେ ଅଳ୍ପ କିଛି ବାଟ ରଥଟଣା ହୋଇଥିଲା। ପରଦିନ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ। ୧୯୭୧ ମସହିାରେ ଜୁନ ୨୪ ତାରିଖରେ ରଥଯାତ୍ରା ପଡ଼ିଥିଲା। ଜୁନ୍‌ ୨୩ ତାରିଖରେ ରଥକୁ ଆଜ୍ଞାମାଳ ବିଜେ ହୋଇଥିଲା। କିନ୍ତୁ ପଟିଦିଅଁଙ୍କଠାରୁ କି ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିଥିଲା, ତାହା ସ୍ପଷ୍ଟ ହୋଇପାରିନଥିଲା। କିନ୍ତୁ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବାର ବିଧି ରହିଥିବା ସେ ଯୁକ୍ତି ଦର୍ଶାଇଥିଲେ। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ରଙ୍କ କହିବା କଥା, ଅଣସର ନୀତି ଚାଲିଥିବା ବେଳେ ଏହା ସମ୍ଭବପର ନୁହେଁ। ୧୩ ଦିନ ଅଣସର ଥିବାରୁ ବହୁତ ନୀତି ରହିଛି। ଅଣସର ନୀତି ସାରି ରଥଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ନେଲେ ନୀତି ବିଶୃଙ୍ଖଳା ହେବ। ୧୯୭୧ ମସିହାରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଯାଇଥିଲା। ଏଥର ବି ଆଜ୍ଞାମାଳ ପଟିଦିଅଁଙ୍କଠାରୁ ନେବାକୁ ଦଇତାପତି ନିଯୋଗ ପ୍ରସ୍ତାବ ଦେଇଛି ବୋଲି ଶ୍ରୀ ଦାସମହାପାତ୍ର କହିଥିଲେ।

ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଯଦିଓ ୧୯୭୧ ମସିହାରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିଥିଲା କି ନାହିଁ, ସ୍ପଷ୍ଟ ଉଲ୍ଲେଖ ନ ଥିଲା, ତଥାପି ଏହା ଉପରେ ଦଇତାପତି ନିଯୋଗ ଓ ପୂଜାପଣ୍ଡା ନିଯୋଗ ଭିତରେ ବିସ୍ତୃତ ଆଲୋଚନା ହୋଇଥିଲା। ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ଉଲ୍ଲେଖ ରହିଛି, ଯେଉଁ ସମୟରେ ଅଣସର ନୀତି ଚାଲିଥାଏ, ସେ ସମୟରେ ଅଣସର ତାଟିଠାରେ ମହାପ୍ରଭୁଙ୍କ ପ୍ରତିରୂପରେ ପଟିଦିଅଁଙ୍କ ସହ ଦଶାବତାର ପୂଜା ପାଇଥାନ୍ତି। ପଟବ୍ରହ୍ମଙ୍କଠାରେ ମହାପ୍ରଭୁ ବିରାଜମାନ କରିଥାନ୍ତି। ମହାପ୍ରଭୁଙ୍କ ଯାହା ନୀତି ଓ ଭୋଗ ହୋଇଥାଏ, ଅଣସର ସମୟରେ ପଟିଦିଅଁଙ୍କଠାରେ ସେହି ନୀତି ଓ ଭୋଗ ହୋଇଥାଏ। କୋଠଭୋଗଠାରୁ ଅବଢ଼ା ସବୁ ପଟିଦିଅଁଙ୍କଠାରେ ଲାଗି ହୋଇଥାଏ। ଏଣୁ ମହାପ୍ରଭୁ ଓ ପଟିଦିଅଁଙ୍କ ଭିତରେ ଭିନ୍ନତା ନ ଦେଖିବାକୁ ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ଉଲ୍ଲେଖ ରହିଛି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଆଧାରରେ ଜୁଲାଇ ୬ ତାରିଖରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ନେବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି।