ଇତିହାସ ପୃଷ୍ଠାରେ ରଥଯାତ୍ରା: ଗୁଣ୍ଡିଚା ମନ୍ଦିର ପାଖେ ରଥ ପହଞ୍ଚିବାକୁ ୬ଦିନ

ପୁରୀ: ସେତେବେଳେ ମାଳିନୀ ନଦୀ ନଥିଲା, କି ୬ ରଥ ହେଉନଥିଲା। କିନ୍ତୁ ୧୮୮୯ ମସିହାର ରଥଯାତ୍ରାରେ ରଥ ଶ୍ରୀମନ୍ଦିରସ୍ଥ ସିଂହଦ୍ବାରରୁ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ଲାଗିଯାଇଥିଲା ଛଅ ଦିନ। ରଥଯାତ୍ରା ପୂର୍ବଦିନ ନବଯୌବନ ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ହୋଇଥିଲା।
ତତ୍କାଳୀନ ବ୍ରିଟିସ ଜିଲ୍ଲାପାଳ ଓ ପୁଲିସ ଦଳଦଳ ହୋଇ ଅମଲା ଓ ରାଜବାଟୀର ମ୍ୟାନେଜରଙ୍କ ସହଯୋଗରେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ନିକଟରେ ପହଞ୍ଚି ଯାଇ ସକାଳ ୮ଟାରୁ ଭକ୍ତଙ୍କ ନିମନ୍ତେ ନବଯୌବନ ଦର୍ଶନର ସୁବିଧା କରାଇଥିଲେ। ପ୍ରାୟ ୫ହଜାର ଭକ୍ତ ଅକ୍ଳେଶରେ ନବଯୌବନ ଦର୍ଶନ କରି ଆନନ୍ଦିତ ହୋଇଥିଲେ। ତା’ପରଦିନ ଅପରାହ୍ନ ୩ଟାରୁ ରଥଗୁଡ଼ିକ ସିଂହଦ୍ବାରକୁ ଆଣିବା ଆରମ୍ଭ ହୋଇଥିଲା।

ମାତ୍ର ବଡ଼ ରଥ ଆସିବାବେଳେ ପୂର୍ବ ପାର୍ଶ୍ବରେ ଥିବା ନାଳକୁ ମାଡ଼ିଯିବାରୁ ୧୦ ହାତ ଲମ୍ବରେ ବଡ଼ବଡ଼ ପଥର ସବୁ ଭାଙ୍ଗିଗଲା। ତେଣୁ ରଥ ପହଞ୍ଚିବା ଦୁରୂହ ହେଲା। ତେବେ ଅନ୍ୟ ରଥମାନ ଶ୍ରୀଗୁଣ୍ଡିଚା ଦିନ ସନ୍ଧ୍ୟା ସମୟରେ ସିଂହଦ୍ବାରରେ ପହଞ୍ଚିଥିଲେ। ସେ ପର୍ଯ୍ୟନ୍ତ ନାଳକୁ ମାଡ଼ି ଯାଇଥିବା ରଥର କାର୍ଯ୍ୟ ଶେଷ ହୋଇନଥିଲା। ସେଦିନ ବର୍ଷା ଜୋର ହେଉଥାଏ। ତେଣୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଧାଡ଼ି ପହଣ୍ଡି କରି ରଥାରୋହଣ କରିବା ବେଳକୁ ପ୍ରାୟ ରାତି ଦୁଇ ପ୍ରହର ହୋଇସାରିଥିଲା। ରାତି ଯୋଗୁ ରଥ ଟଣା ହେଲା ନାହିଁ। ତେଣୁ ଭକ୍ତମାନେ କେବଳ ରାଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରି ଚାଲିଯାଇଥିଲେ। ତା’ପରଦିନ ଅର୍ଥାତ୍‌ ୧୮୮୯ ମସିହା ଜୁଲାଇ ୧ ତାରିଖ ସୋମବାର ରଥଟଣା ଆରମ୍ଭ ହୋଇଥିଲା। ୬ ତାରିଖ ଶନିବାର ଗୁଣ୍ଡିଚା ଦ୍ବାର ନିକଟରେ ରଥ ପହଞ୍ଚିଥିଲା। ସେଇଦିନ ରାତି ପ୍ରାୟ ୯ଟା ସମୟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ୭ ତାରିଖ ଦିନ ପାଗ ଭଲ ରହିବାରୁ ଆବାଳ ବୃଦ୍ଧବନିତା ଭଲରେ ସନ୍ଧ୍ୟା ଦର୍ଶନ କରି ଫେରିଥିଲେ। ୮ ତାରିଖ ସୋମବାର ମଧ୍ୟାହ୍ନ ସମୟର ମହାପ୍ରଭୁ ଜଗମୋହନରେ ବିଜେ କରି ରହିଲେ। ସେପର୍ଯ୍ୟନ୍ତ ରଥମାନ ଦକ୍ଷିଣ ମୁଖା ହୋଇନଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଯୁଗେଯୁଗେ ରଥଯାତ୍ରା ପୁସ୍ତକରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।

ଗବେଷକମାନଙ୍କ ମତରେ ଅତୀତରେ ରଥଯାତ୍ରା ସମ୍ପାଦନ ବିଧି ମୁତାବକ ହୋଇ ପାରୁନଥିଲା। ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ରଥ ଉପରକୁ ବିଜେ କରିବା ବେଳକୁ ପ୍ରାୟତଃ ରାତି ହୋଇଯାଉଥିଲା। ତେଣୁ ରଥଯାତ୍ରା ଦିନ କେବଳ ପହଣ୍ଡିରେ ସେଦିନର ଯାତ୍ରା ସୀମିତ ରହୁଥିଲା। ତା’ ପରଦିନଠାରୁ ରଥଟଣା ଆରମ୍ଭ ହେଉଥିଲା। ଭକ୍ତମାନଙ୍କ ସହଯୋଗରେ ରଥଟଣା ଯାଉଥିଲେ ହେଁ ରଥଯାତ୍ରା ଦିନ ଭଳି ଆଶାନୁରୂପ ଭିଡ଼ ହେଉନଥିଲା। କାଳକ୍ରମେ ରଥ ଟାଣିବା ପାଇଁ କଳାବେଠିଆମାନଙ୍କୁ ନିୟୋଜିତ କରାଗଲା। ସେମାନଙ୍କ ସହଯୋଗରେ ରଥଯାତ୍ରାରେ ରଥଟଣା ସୁଗମ ହେଲା। ଏବେ ଯଦି ଗୋଟିଏ ଦିନରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନପାରେ, ତେବେ ତା’ପରଦିନ ସକାଳେ ୯ଟାରୁ ୧୦ଟା ମଧ୍ୟରେ ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥାଏ। ମାତ୍ର କିଛିବର୍ଷ ହେବ ଗୁଣ୍ଡିଚାଯାତ୍ରା ଦିନ ହିଁ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଯାଉଛନ୍ତି।

ସମ୍ବନ୍ଧିତ ଖବର