ପୁରୀ: ଗତକାଲି ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ସହ ନାହାକା ତୁମ୍ବରେ ପନ୍ଦାରିବଳା ଲାଗି ହୋଇଥିଲା। ତୁମ୍ବରେ ପଇ ବିନ୍ଧା ଅନୁକୂଳ ହୋଇ ତିନି ରଥର ଦୁଇଟି ଲେଖାଏଁ ଚକର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଆଜି ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇ ତିନି ରଥର ତୃତୀୟ ଓ ଚତୁର୍ଥ ଚକରେ ପଇ ସଂଯୋଗ ହୋଇଥିଲା। ପଇ କଳସା କାର୍ଯ୍ୟ (ପଇ, ପଇକୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ) ଶେଷ ହୋଇ ତୁମ୍ବରେ ଅଖବିନ୍ଧ ଖୋଳା ବା ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି।
ଏଥି ସହ ତିନି ରଥର ପଞ୍ଚମ ଓ ଷଷ୍ଠ ଚକ ନିର୍ମାଣ ପାଇଁ ଯନ୍ତା ଗାଡ଼ଠାରେ ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ଶେଷ ପରେ (ତୁମ୍ବରେ ଅର ସଂଯୋଗ ହୋଇ କଣ୍ଟା ବାଡ଼ିଆ କାର୍ଯ୍ୟ) ତିନିରଥର ମହାରଣା ସେବକମାନେ ବଳକା ପଇ କାଟି ଅର ମୁଖର ସାଲ କାର୍ଯ୍ୟ ଶେଷ କରିଛନ୍ତି। ରୂପକାର ଚାଳିରେ ତିନିରଥର ରୂପକାର ସେବକମାନେ ତିନି ରଥର କୋଣଗୁଜ ବା ସାଲ ଗୁଜରେ ବିରଳ ସିଂହ ରୂପ ଖୋଦେଇ ଜାରି ରଖିଛନ୍ତି। ସେପଟେ ଦୋଳ ବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନି ରଥର ନାହାକା ଚକର ଆବଶ୍ୟକ ଅର କଣ୍ଟା ସହ ପନ୍ଦାରି ଓ ତୁମ୍ବ ବାହ୍ୟ ବଳା ରଥଖଳାକୁ ଯୋଗାଇଛନ୍ତି। ବାକି ଚକଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା, ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ମହାରଣା, ଭୋଇ, କରତୀ, କମାର, ରୂପକାର, ତୁମ୍ବବିନ୍ଧ କାରିଗରଙ୍କ ସମେତ ରଥଖଳା ସହାୟକ ଏଭଳି ୧୮୬ ଜଣ ରଥ ନିର୍ମାଣ କାମରେ ଲାଗି ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/15/uf2oYBZ3LZnguVRa3gwn.jpg)