ପୁରୀ: ଏଥର ମହାପ୍ରଭୁଙ୍କ ଘୋଷଯାତ୍ରା ଥିଲା ନିଆରା। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ରଥକୁ ଭିଡ଼ି ନେଉଥିଲେ। ସେବକମାନେ ରଥ ଉପରେ ବସି ରହୁଥିଲେ। କେବେ ବି ସେବକମାନେ ରଥ ଟାଣିବାର ସୁଯୋଗ ପାଉନଥିଲେ। ଏଥର ମହାପ୍ରଭୁ ସେବକଙ୍କୁ ଏ ସୁଯୋଗ ଦେଇଛନ୍ତି। ଆଜି କେବଳ ସେବକମାନେ ହିଁ ମହାପ୍ରଭୁଙ୍କ ତିନି ରଥକୁ ଭିଡ଼ି ନେଇଛନ୍ତି। ପୂର୍ବ ବର୍ଷମାନଙ୍କରେ ଲକ୍ଷାଧିକ ଭକ୍ତ ରଥଟାଣି ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ଶରଧାବାଲିରେ ତିନି ରଥକୁ ଦିନରେ ପ୍ରାୟତଃ ପହଞ୍ଚାଇ ପାରୁନଥିଲେ। ଆଜି କିନ୍ତୁ ସେବକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନି ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ନିଷ୍ଠାର ସହିତ ଟାଣି ନେଇ ଠିକଣା ସମୟରେ ପହଞ୍ଚାଇଥିଲେ। ତେବେ ଅନ୍ୟ ରଥଯାତ୍ରାରେ ଭକ୍ତମାନେ ଜୋତା ପିନ୍ଧି ରଥ ଦଉଡ଼ି ଭିଡ଼ୁଥିବା ବେଳେ ଏଥର ସେବକମାନେ କିନ୍ତୁ ଖାଲିପାଦରେ ମହାପ୍ରଭୁଙ୍କ ତିନି ରଥକୁ ଭିଡ଼ି ନେଇଥିଲେ। ପ୍ରବଳ ଖରା ଯୋଗୁ ପାଦରେ ଫୋଟକା ହୋଇଥିଲେ ବି ସେବକମାନେ ଏହାକୁ ଖାତିର କରି ନଥିଲେ। ‌ସନ୍ଧ୍ୟା ପୂର୍ବରୁ ତିନି ରଥକୁ ନେଇ ଶରଧାବାଲିରେ ପହଞ୍ଚାଇ ନାଚିଥିଲେ।