ରଥ ନିର୍ମାଣ ନିଷ୍ପତ୍ତି ଝୁଲିଲା: ଦ୍ବନ୍ଦ୍ବ ଦୂର କଲେ ଗଜପତି, ରଥ ନିର୍ମାଣ ଧାର୍ମିକ ପର୍ବ ନୁହେଁ

କେନ୍ଦ୍ର ଉପରକୁ ବଲ୍‌ ଗଡ଼ାଇଲା ରାଜ୍ୟ, ୪ କୋଟି ଭକ୍ତ ଜବାବ ଦେବେ: ଦଇତାପତି

ପୁରୀ/ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗରେ ଆଜି ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି ଆଶା କରାଯାଉଥିଲା। ସେହି ଅନୁଯାୟୀ ବିଶ୍ବକର୍ମାମାନେ ରଥଖଳାରେ ପୂର୍ବପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିଲା। କିନ୍ତୁ ଆଜି ଦିନତମାମ ବିଶ୍ବକର୍ମାମାନେ ରଥଖଳାରେ ଅପେକ୍ଷା କରି ରହିଥିଲେ ବି ଏ ପ୍ରସଙ୍ଗରେ ସରକାର କୌଣସି ସ୍ପଷ୍ଟ ମତ ରଖିନାହାନ୍ତି। ପରିଚାଳନା କମିଟି ଯେଉଁ ସୁପାରିସ କରିଥିଲା ତାହାର କୌଣସି ଉତ୍ତର ବି ଦେଇନାହାନ୍ତି।

ଅନ୍ୟପକ୍ଷରେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏହି ସମ୍ବେଦନଶୀଳ ପ୍ରସଙ୍ଗ ଭବିଷ୍ୟତରେ ରାଜନୀତି ପାଇଁ ବାଟ ଖୋଲିବ ବୋଲି ଅନୁମାନ ଲଗାଇ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିବା ଲାଗି ସ୍ଥିର ହୋଇଛି। ଖୋଲାଖୋଲି ଭାବେ କେହି କିଛି କହୁନଥିଲେ ହେଁ, କେନ୍ଦ୍ର ସରକାରଙ୍କ ଠାରୁ ଆବଶ୍ୟକ ନିର୍ଦେଶନାମା ଆସିବା ପରେ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ବିଚାର କରୁଛନ୍ତି। ଏହା ଫଳରେ ଯଦି ରଥଯାତ୍ରା ନ ହେବ, ତେବେ ରାଜ୍ୟ ସରକାରଙ୍କ ଉପରେ କେହି ଆଙ୍ଗୁଠି ଉଠାଇ ପାରିବେ ନାହିଁ।

ପୂର୍ବରୁ ସ୍ବୟଂ ଗଜପତି ମହାରାଜା ଓ ମନ୍ଦିର ପରିଚାଳନା କମିଟି ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ନିୟମ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସେହିପରି ଯେତେବେଳେ ଅକ୍ଷୟତୃତୀୟା ନୀତି କରାଗଲା, ସେତେବେଳେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ଖୋଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ। ଏଭଳି ପରିସ୍ଥିତିରେ ଏବେ କେନ୍ଦ୍ର ସରକାରଙ୍କ କି ପଦକ୍ଷେପ ନେବେ, ତାହା ଉପରେ ରଥଯାତ୍ରା କାର୍ଯ୍ୟକ୍ରମ ନିର୍ଭର କରୁଛି। ତେବେ କେନ୍ଦ୍ର-ରାଜ୍ୟ ଛକାପଞ୍ଝା ଭିତରେ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଲାଣି। ମୁଖ୍ୟ ବିଶ୍ବକର୍ମାମାନେ ଆଜି ସିଧାସଳଖ ଶୁଣାଇ ଦେଇଛନ୍ତି, ଆସନ୍ତାକାଲି ସୁଦ୍ଧା କୌଣସି ଉତ୍ତର ନ ଆସିଲେ, ରଥ ନିର୍ମାଣ ନିଷ୍ପତ୍ତିରୁ ସେମାନେ ଓହରିଯିବେ। କୌଣସି ପରିସ୍ଥିତିରେ ବି ରଥ ନିର୍ମାଣ ସମ୍ଭବ ହୋଇପାରିବ ନାହିଁ। ଦଇତାପତି ସେବକମାନେ ବି ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ୪ କୋଟି ଭକ୍ତଙ୍କୁ ସରକାର ଏଭଳି ଭଣ୍ଡାଉଛନ୍ତି, ସେମାନେ ନିଶ୍ଚିତ ଏହାର ଜବାବ ଦେବେ ବୋଲି କହିଛନ୍ତି।

ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ରଥ ନିର୍ମାଣ ଧାର୍ମିକ ଉତ୍ସବ ନୁହେଁ। କେନ୍ଦ୍ର ସରକାର ଯେଉଁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି, ସେଥିରେ ଧାର୍ମିକ କାର୍ଯ୍ୟ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛନ୍ତି। ରଥ ନିର୍ମାଣ ଧାର୍ମିକ ଉତ୍ସବ ହୋଇନଥିବାରୁ ପରିଚାଳନା କମିଟି ସଦସ୍ୟ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମତ ଦେଇଥିଲେ। ସର୍ବସମ୍ମତି କ୍ରମେ ରଥ ନିର୍ମାଣ ଆରମ୍ଭ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଆଜି ସୁଦ୍ଧା ରଥ ନିର୍ମାଣ ପାଇଁ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ। ସେହି ଅନୁଯାୟୀ କଟକଣା ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଗତକାଲି ସଂଧ୍ୟାରେ ମଧ୍ୟ ତିନି ରଥର ମୁଖ୍ୟ ବିଶ୍ବକର୍ମା, ଭୋଇ ସର୍ଦ୍ଦାର ଓ ଅନ୍ୟ ସେବକମାନଙ୍କୁ ନେଇ ଜରୁରୀ ବୈଠକ ଡକାଯାଇଥିଲା। ବୈଠକର ନିଷ୍ପତ୍ତିକ୍ରମେ ଆଜି ସକାଳ ୮ଟାରୁ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ରଥଖଳାରେ ରଥ ନିର୍ମାଣ ପାଇଁ ପହଞ୍ଚିଥିଲେ। ଅନୁମତି ମିଳିଥିଲେ ନଡ଼ିଆ, ମାହାର୍ଦ୍ଦ ଦେଇ ଆଜିଠାରୁ ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଥାନ୍ତା। କିନ୍ତୁ ସକାଳ ଯାଇ ମଧ୍ୟାହ୍ନ, ଅପରାହ୍ଣ ଓ ସଂଧ୍ୟା ଗଡ଼ିଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ଅନୁମତି ମିଳିନଥିଲା। ଯେଉଁଥି ପାଇଁ ଆଜି ମୁଖ୍ୟ ବିଶ୍ବକର୍ମାମାନେ ବିରକ୍ତି ଭାବ ପ୍ରକାଶ କରି ରଥଖଳାରୁ ଫେରି ଯାଇଛନ୍ତି। ଏଭଳି ଘଟଣା ରଥ ନିର୍ମାଣକୁ ଅଡ଼ୁଆ ଭିତରକୁ ଠେଲି ଦେଇଛି।

ଏ ସଂପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ ମହାପାତ୍ର କହିଛନ୍ତି, ବିଳମ୍ବ ହେଲେ ବି ଦିନରାତି କାମ କରି ସମୟ ଭିତରେ ରଥ ନିର୍ମାଣ ପାଇଁ ଆମେ ଲକ୍ଷ୍ୟ ରଖିଥିଲୁ। ସେହି ଅନୁଯାୟୀ ଆଜି ରଥଖଳାରେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଥିଲୁ। କିନ୍ତୁ ସରକାର ଆଜି ଏହା ଉପରେ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ଏଥିରୁ ସ୍ପଷ୍ଟ ଯେ ସରକାର ରଥଯାତ୍ରା କରିବାକୁ ଚାହୁଁନାହାନ୍ତି। ଆମ ହାତରେ ବି ଆଉ ସମୟ ନାହିଁ। ଆସନ୍ତାକାଲିକୁ ଆମେ ଅପେକ୍ଷା କରିଛୁ। ଆସନ୍ତାକାଲି ସୁଦ୍ଧା ସରକାର କୌଣସି ଜବାବ ନରଖିଲେ, ଆମେମାନେ ରଥ ନିର୍ମାଣ କାମ କରିବୁନି ବୋଲି ଶ୍ରୀ ମହାପାତ୍ର ସିଧାସଳଖ କହିଛନ୍ତି। ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ସରକାର ରଥଯାତ୍ରା ସଂପର୍କରେ ସ୍ପଷ୍ଟ ଉତ୍ତର ନ ରଖି ଏହାକୁ ଝୁଲାଇ ରଖିବା ଅଶୋଭନୀୟ। ନିଶ୍ଚିତପକ୍ଷେ ଏହା ପଛରେ ସରକାରଙ୍କ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି। ଯଦି ରଥ ନିର୍ମାଣ ପାଇଁ ସରକାର ଅନୁମତି ନ ଦିଅନ୍ତି, ଆମେ ଭାବିନେବୁ ସରକାର ରଥଯାତ୍ରା କରିବାକୁ ଚାହୁଁନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତିର ଜବାବ ୪ କୋଟି ଓଡ଼ିଆ ଭକ୍ତ ନିଶ୍ଚିତ ଦେବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି, ରଥ ନିର୍ମାଣ କିପରି ହେବ ତାହା ପରିଚାଳନା କମିଟି ନିଷ୍ପତ୍ତି ନିଏ। ବର୍ତ୍ତମାନ ପରିସ୍ଥିତିରେ କରୋନା ଯୋଗୁ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ୁଛି। କିନ୍ତୁ ସରକାର ଏହାକୁ ନେଇ ଏଭଳି ଖେଳ ଖେଳିବା ଠିକ୍ ନୁହେଁ। ସରକାର ଏହା ଉପରେ ସ୍ପଷ୍ଟ ଉତ୍ତର ରଖନ୍ତୁ ବୋଲି ଶ୍ରୀ ଦାସମହାପତ୍ର କହିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଆଇନ ସଚିବଙ୍କୁ ଚିଠି ଲେଖି ତାଙ୍କର ମତାମତ ଲୋଡ଼ିଥିଲେ।

ଭୁବନେଶ୍ବର: ରଥ ନିର୍ମାଣ ଏକ ଧାର୍ମିକ ପର୍ବ ବା ଉତ୍ସବ ନୁହେଁ। ଏହା ଏକ ନିର୍ମାଣ କାର୍ଯ୍ୟ। ଲକ୍‌ଡାଉନ୍ ସମୟରେ ନିର୍ମାଣ କାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଥିବାରୁ ରଥ ନିର୍ମାଣ ଆରମ୍ଭ ହେବାରେ ଅସୁବିଧା ନାହିଁ। ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ତେବେ ଭୁଲ୍‌କ୍ରମେ ଗଣମାଧ୍ୟମରେ ଏହା ‘ରଥଯାତ୍ରା ଧାର୍ମିକ କାର୍ଯ୍ୟ ନୁହେଁ’ ବୋଲି ପ୍ରକାଶ ପାଇଥିଲା। ବାସ୍ତବରେ ଏହା ଧାର୍ମିକ ପର୍ବ ନୁହେଁ ବୋଲି ଗଜପତି କହିଥିଲେ। ଗତକାଲି ହୋଇଥିବା ପରିଚାଳନା କମିଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ରେ ଧାର୍ମିକ ଉତ୍ସବକୁ ବନ୍ଦ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଯେହେତୁ ରଥ ନିର୍ମାଣ ଏକ ଧାର୍ମିକ ପର୍ବ ନୁହେଁ ଏକ ନିର୍ମାଣ କାର୍ଯ୍ୟ, ତେଣୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସବୁ ସଦସ୍ୟ ମତ ଦେଇଥିଲେ। ରଥ ନିର୍ମାଣ ସହ ଦୁଇଟି ଧାର୍ମିକ ଉତ୍ସବ ଜଡ଼ିତ। ପ୍ରଥମଟି ହେଉଛି ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ। ସେହିଦିନ ରଥଖଳାରେ ହୋମଯଜ୍ଞ ଓ ଅନ୍ୟ‌ାନ୍ୟ ରୀତିନୀତି ଆୟୋଜନ କରାଯାଇଥାଏ। ଏ ବର୍ଷ ଲକ୍‌ଡାଉନ୍ ଯୋଗୁ ଗତ ୨୬ ତାରିଖରେ ଏହି ଧାର୍ମିକ ଉତ୍ସବଟି ଶ୍ରୀମନ୍ଦିର ପରିସରରେ କରାଯାଇଥିଲା। ଦ୍ବିତୀୟ ଧାର୍ମିକ ଉତ୍ସବଟି ହେଉଛି ରଥ ପ୍ରତିଷ୍ଠା। ଏହା ଗୁଣ୍ଡିଚା ଯାତ୍ରା ଦିନ ସକାଳୁ କରାଯାଇଥାଏ। ତେଣୁ ରଥଖଳାରେ ବର୍ତ୍ତମାନ ହେବାକୁ ଥିବା କାର୍ଯ୍ୟ କେବଳ ନିର୍ମାଣ କାର୍ଯ୍ୟ। ଏଥିରେ କୌଣସି ଧାର୍ମିକ ପର୍ବର ସଂପୃକ୍ତି ନାହିଁ। ଯେହେତୁ କିଛି କଟକଣା ସହ ଗ୍ରିନ୍ ଜୋନ୍‌ରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି, ତେଣୁ ସରକାରଙ୍କୁ ରଥ ନିର୍ମାଣ ପାଇଁ ଅନୁମତି ଦେବାକୁ ନିବେଦନ କରିବା ନିମନ୍ତେ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ଏହା ମଧ୍ୟରେ ରଥ ନିର୍ମାଣ ଆଠ ଦିନ ବିଳମ୍ବ ହୋଇଗଲାଣି।

କୌଣସି ଧାର୍ମିକ ସମାବେଶ ପାଇଁ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ରେ ମନା କରାଯାଇଛି। ପରିଚାଳନା କମିଟି ହୃଦ୍‌ବୋଧ କରିଥିଲା ଯେ ରଥଖଳାରେ କୌଣସି ପ୍ରକାର ଗହଳି ହେବ ନାହିଁ। ଏହା ଏକ ନିର୍ମାଣ ସ୍ଥାନ ଓ ଏଠାକୁ ସାଧାରଣ ଲୋକଙ୍କର ଯିବାର ଆବଶ୍ୟକତା ନାହିଁ। ସାଧାରଣ ଲୋକ ସେଠାରୁ ଆଦୌ ନ ଯିବା ପାଇଁ କମିଟି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ରଥ ନିର୍ମାଣ ସମୟରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ନିମେନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍‌କୁ କମିଟି କଡ଼ାକଡ଼ି ଭାବେ ପାଳନ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର