ଭକ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ରଥଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା

ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଦେୟମୁକ୍ତ ହେବ ପିପିଲି ଟୋଲ ଗେଟ୍
ଜବରଦଖଲ ଉଚ୍ଛେଦ ପାଇଁ ରହିବେ ୫୦ ଏନ୍‌ଫୋର୍ସମେଣ୍ଟ ଟିମ୍
ପାନୀୟ ଜଳ, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ

ପୁରୀ : ରଥଯାତ୍ରାକୁ ଆସୁଥିବା ସବୁ ଭକ୍ତ ଆମର ଅତିଥି। ସେମାନଙ୍କ ସୁରକ୍ଷା ଆମର ପ୍ରାଥମିକତା। ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତଥାପି ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା ଦରକାର। ତା’ ହେଲେ ଆମ ଲକ୍ଷ୍ୟ ସଫଳ ହେବ। ଆଜି ପୁରୀ ନୀଳାଦ୍ରି ନିବାସଠାରେ ଅନୁଷ୍ଠିତ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସମନ୍ବୟ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେବା ସହ ଏ ନେଇ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ସିଧାସଳଖ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ରଥଯାତ୍ରା ହେଉ କି ବାହୁଡ଼ା, ଠାକୁରଙ୍କର ସବୁ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ଏବଂ ସଠିକ୍ ସମୟରେ ସଂପାଦନ ହେବ। ପରେ ସ୍ବାସ୍ଥ୍ୟ ସେବା ସଂପର୍କରେ ସୂଚନା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ‌ଅମରେନ୍ଦ୍ରନାଥ ମହାନ୍ତି କହିଥିଲେ, ରଥଯାତ୍ରା ପାଇଁ ସହର ଭିତରେ ୧୮ଟି ଓ ସହର ବାହାରେ ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ମୋଟ ୩୦ଟି ଆମ୍ବୁଲାନ୍ସ ନିୟୋଜିତ ହେବେ। ସହର ମଧ୍ୟରେ ୧୩ଟି ଆମ୍ବୁଲାନ୍ସ, ସମୁଦ୍ରକୂଳରେ ୪ଟି, ସହର ବାହାରେ ୮ଟି ଏବଂ ମୁଖ୍ୟ ଚିକିତ୍ସାଳୟରେ ୫ଟି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯିବ। ଖାଦ୍ୟ ମାନ ଯାଞ୍ଚ ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ସେବା ପାଇଁ ଶତାଧିକ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କୁ ମୁତୟନ କରାଯାଉଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ୧୧୭ଟି ଅଧିକ ଶଯ୍ୟା ଓ ୨୦୦ ୟୁନିଟ୍ ରକ୍ତ ମହଜୁଦ୍‌ ରଖାଯାଇଛି ବୋଲି ଡା. ମହାନ୍ତି କହିଥିଲେ। ବିଦ୍ୟୁତ୍ ବିଭ୍ରାଟ ଦୂର ପାଇଁ ଡିଜି ସେଟର ବ୍ୟବସ୍ଥା କରାଯାଇଛି ବୋଲି ସେସୁ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ଅହରହ ବିଜୁଳି ଯୋଗାଣ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ସାଙ୍ଗକୁ ୩୩ କେଭି, ୧୧ କେଭି ସବ୍‌ଷ୍ଟେସନକୁ ପ୍ରସ୍ତୁତ ରଖାଯାଇଛି।

ତାଳବଣିଆଠାରେ ଅସ୍ଥାୟୀ ବସଷ୍ଟାଣ୍ଡ ସାଙ୍ଗକୁ ଯାତ୍ରୀମାନଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସ, ପାନୀୟ ଜଳ ଓ ରହଣି ବ୍ୟବସ୍ଥା କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ। ରଥଯାତ୍ରାରେ ୨୦୦ରୁ ଅଧିକ ସ୍ବତନ୍ତ୍ର ବସ୍‌ ଚାଲିବ। ଦୁର୍ଘଟଣା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ହାଇଡ୍ରା ମୁତୟନ କରାଯିବ। ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ୫୦ଟି ଏନ୍ସଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀଙ୍କୁ ମାଗଣାରେ ନେବାଆଣିବା ପାଇଁ ୨୫ଟି ଇ-ରିକ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଗାଡ଼ିର ବେଗ ଉପରେ ନଜର ରଖିବା ପାଇଁ ୪ଟି ଇଣ୍ଟସେପ୍ଟର ସଜାଗ ରଖାଯିବ। ଗାଡ଼ି ଭଡ଼ା ସଂପର୍କରେ ସୂଚନା ପାଇଁ ବିଭିନ୍ନ ସ୍ଥାନରେ ସୂଚନା ଫଳକ ସାଙ୍ଗକୁ ଯାତ୍ରୀବାହୀ ବସମାନଙ୍କରେ ବି ଏହି ସୂଚନା ଲଗାଯିବ। ଭଡ଼ା ‌ଅଧିକ ନେଉଥିବା ବସ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାନୀୟ ଜଳ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ୪୧ଟି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବା ବେଳେ ସେବାୟତଙ୍କ ପ୍ରାତଃ ସ୍ନାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ରଥଯାତ୍ରାରେ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍ ଭକ୍ତମାନଙ୍କ ପାଇଁ ଚଳାଚଳ କରୁଥିବା ବେଳେ ଭକ୍ତଙ୍କ ସୁବିଧା ପାଇଁ ଏକ ସ୍ବତନ୍ତ୍ର ଆପ୍ ଖୋଲା ଯାଇଥିବା ପୂର୍ବତଟ ରେଳବାଇ କର୍ତୃପକ୍ଷ ସୂଚନା ଦେଇଥିଲେ। ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ପିପିଲି ଟୋଲଗେଟ୍‌କୁ ଦେୟମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ରାସ୍ତା ଦେଇ ଯାଆସ କରୁଥିବା ଭକ୍ତମାନଙ୍କଠାରୁ ଏହି ତିନି ଦିନ କୌଣସି ଟୋଲ୍ ଆଦାୟ କରାଯିବନାହିଁ ବୋଲି ଏନ୍‌ଏଚ୍‌ଏଆଇ ପ୍ରତିଶ୍ରୁତି ଦେଇଛି। ସହରରରେ ୨୫୫ଟି ନଳା ସଫା କରାଯାଇଥିବା ବେଳେ ୪୨ ହଜାର ୫୨୮ ଟନ୍ ଅଳିଆ ସଫା କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ବର୍ତମାନ ୬୨୩ ଜଣ ସଫେଇ କର୍ମଚାରୀ କାମ କରୁଥିବା ବେଳେ ରଥଯାତ୍ରା ସମୟରେ ଆହୁରି ୩୫୦ ଜଣ ସଫେଇ କର୍ମଚାରୀ ମୁତୟନ ହେବ‌େ। ରଥଯାତ୍ରା ପାଇଁ୧୫୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ। ଚଳିତ ରଥଯାତ୍ରାରେ ଗୁରୁଦ୍ବାର ସେବକ ସଂଘ ମାଗଣା ଅଟୋ ସେବା ଯୋଗାଇ‌ ଦେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ, ପୁରୀ ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର