ଜୟପୁର: ଭକ୍ତି ପୂର୍ଣ୍ଣ ଓ ଆନନ୍ଦ ଉଲ୍ଲାସରେ ଆଜି ଜୟପୁର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇବର୍ଷ ଧରି କୋରନା କଟକଣା ପାଇଁ ଯାତ୍ରା ବନ୍ଦ ହୋଇଥିବାରୁ ଶ୍ରଦ୍ଧାଳୁମାନେ ନିରାଶ ହୋଇଥିବା ବେଳେ ଚଳିତବର୍ଷ ବେଶ ଉତ୍ସାହର ସହ ଏହି ଯାତ୍ରା ଅନୁଷ୍ଠିତ ହୋଇଛି। ରାଜରାଜୁଡା ଅମଳରୁ ରଥଯାତ୍ରା ପରଦିନ ରଥଟଣା ହେଉଥିବା ବେଳେ ବିଧିବଧ ଭାବେ ଆଜି ତାହା ପାଳିତ ହୋଇଛି। ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ପୁରପଲ୍ଲୀରୁ ଜନସାଧାରଣ ସହରମୁହାଁ ହୋଇଛନ୍ତି। ଭକ୍ତି ଓ ଭାବପୂର୍ଣ୍ଣ ହଜାର ହଜାର ସଂଖ୍ୟକ ଭକ୍ତଗଣ ମଧ୍ୟରେ ଚରୁର୍ଦ୍ଧା ମୂର୍ତ୍ତି ମା’ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ଜୟପୁର ସହରର। କିଏ ଦୁଇ ହାତକୁ ଟେକି ଠାକୁରଙ୍କୁ ଡାକୁଥିବା ବେଳେ ଆଉ କିଏ ରଥକୁ ଛୁଇଁ ଆନନ୍ଦ ଲାଭ କରୁଥିଲେ। କାଳିଆ ସାଅନ୍ତକୁ ଦେଖିବା ପାଇଁ ଚଳଚଞ୍ଚଳ ହୋଇଯାଇଥିଲା ସହର। ଜୟପୁର ସହରର ମୁଖ୍ୟ ରାସ୍ତା ଆଜି ଜନସମୁଦ୍ର ପାଲଟି ଯାଇଥିଲା।
ଗତକାଲି ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଯାଇ ଥିବା ବେଳେ ଆଜି ସକାଳୁ ସାଢ଼େ ୭ଟାରେ ମଙ୍ଗଳ ଆଳତୀ ପରେ ଅବକାଶ, ସୂର୍ଯ୍ୟପୂଜା ଓ ଗୋପାଳବଲ୍ଲଭ ଭୋଗ ହୋଇଥିଲା। ପୂର୍ବାହ୍ନ ସାଢ଼େ ୯ଟାରେ ସର୍ବସାଧାରଣ ଦର୍ଶନ କରିଥିବା ବେଳେ ସାଢ଼େ ୧୨ଟାରେ ଶୁଖିଲା ଭୋଗ ଲାଗି ହୋଇଥିଲା। ରଥରେ ପୂଜକ ଛେରା ପହଁରା କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ସଂଖ୍ୟକ ଶଦ୍ଧ୍ରାଳୁ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା। ବଡ ରଥକୁ ପୁରୁଷମାନେ ଟାଣୁଥିବା ବେଳେ ମହିଳାମାନେ ପତିତପାବନ ରଥକୁ ଟାଣୁଥିଲେ।
ଦିନବେଳା ପ୍ରବଳ ବର୍ଷା ହୋଇ ଛାଡି ଯାଇଥିବା ବେଳେ ଅପରାହ୍ନରେ ପାଗ ମେଘୁଆ ରହିଥିଲା। ସଞ୍ଜ ନଇଁବା ବେଳକୁ ମୁଖ୍ୟ ରାସ୍ତାରେ ଭକ୍ତଙ୍କ ସମାଗମ ବୃଦ୍ଧି ପାଇବାରେ ଲାଗିଥିଲା। ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ କୋରାପୁଟ ଜିଲ୍ଲା ପକ୍ଷରୁ ଆସିଥିବା ନାମ ସଙ୍କୀର୍ତ୍ତନ ଦେଖିବାକୁ ମିଳିଥିଲା। ଏଥିସହ ଭକ୍ତି ସଙ୍ଗୀତର ତାଳେ ତାଳେ ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀକାନ୍ତ ଓ ସୁନୀଲ ଉଭୟଙ୍କ ଓଡିଶୀ ନୃତ୍ୟ ପରିବେଷଣ କରିଥେିଲ। ଏଥିସହ ଜୟପୁର ଇସ୍କନର ଶ୍ରଦ୍ଧାଳୁମାନେ ହରି ନାମରେ ନିଜକୁ ହଜାଇ ଦେଇଥିଲେ।
ସନ୍ଧ୍ୟା ୬ଟା ୨୦ରେ ବାଙ୍କମଠ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ରଥ ଲାଗିଥିଲା। ରଥରେ ଠାକୁର ସନ୍ଧ୍ୟାରେ ସର୍ବସାଧାରଣ ଦର୍ଶନ କରିଥିବା ବେଳେ ରାତି ୧୧ଟାରେ ପରେ ଠାକୁରଙ୍କ ପହଣ୍ଡି ହୋଇ ଆଡପ ମଣ୍ଡପକୁ ଯିବେ। ରାତି ସାଢ଼େ ୧୨ଟାରେ ଅନ୍ନଭୋଗ ଲାଗି ହେବା ପରେ ସାଢ଼େ ୧ଟାରେ ପହଡ ପଡିବ। ଏଥିସହ କାଲି ସକାଳୁ କନକଲାଗି ଯୋଗୁଁ ଦର୍ଶନ ବନ୍ଦ ରହିବ ପୁଣି ସନ୍ଧ୍ୟାରେ ଠାକୁର ମତ୍ସ୍ୟ ଓ କତ୍ସପ୍ୟ ଅବତାରରେ ଦର୍ଶନ ଦେବେ ବୋଲି ପୂଜକ କହିଛନ୍ତି।
ରଥଯାତ୍ରାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ପ୍ରଧାନ ଟୁଲିଆମ୍ମା, ଏସଡିପିଓ ଅରୂପ ଅଭିଷେକ ବେହେରା, ଦେବତ୍ତର ପରିଚାଳନା କମିଟି ସଭାପତି ଲାଲମୋହନ ମିଶ୍ର, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ମାନସ ଘଡେଇ, ଅଶ୍ବିନୀ ମହାପାତ୍ରଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ଜୟପୁର ଏଡିପିଓ ଅରୂପ ଅଭିଶେକ ବେହେରାଙ୍କ ନେତୃତ୍ବରେ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀଙ୍କ ସମେତ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ରଥଟଣା ସମୟରେ ଭକ୍ତଙ୍କ ଟାଇମାପାସ୍ ଗ୍ରୁପ ପକ୍ଷରୁ ହାଲୱା ପ୍ରଦାନ, ସଦରଥାନା ପକ୍ଷରୁ ରସାବଳୀ ପ୍ରଦାନ ଓ ଜୟକୁମାର ଜୈନଙ୍କ ସ୍ମୃତିରେ ଭୋଗ ପ୍ରଦାନ କରୁଥିଲେ।