ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅଭାବ ଚିନ୍ତା ବଢ଼ାଇଦେଲାଣି। ଗତ କିଛିବର୍ଷ ହେବ ଫାଶୀ କାଠର ଘୋର ଅଭାବ ଦେଖାଦେଇଛି। ଚଳିତବର୍ଷ ବି ସମାନ ସମସ୍ୟା। ସେପଟେ ବୋଝ ଉପରେ ନଳିତା ବିଡ଼ା ଭଳି ଧଉରା କାଠ ବି ସମସ୍ୟା ସୃଷ୍ଟି କଲାଣି। ଅଧିକାଂଶ ଧଉରା ଗଛ ପୋଲା ପଡ଼ୁଛି। ଏଭଳି ସ୍ଥିତିରେ ରଥକାଠ ପାଇଁ ଆବଶ୍ୟକ କାଠ ଯୋଗାଡ଼ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡ଼ିଛି। ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ରଥକାଠର ଅଭାବ ପୂରଣ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି।
ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପୁରୀ ପୌରସଦନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ପୁନମ ଗୁହା, କେନ୍ଦ୍ରାଞ୍ଚଳ ଆଇଜି ସଂଜୟ କୁମାର କୌଶଲ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ପିନାକ ମିଶ୍ରଙ୍କ ସମେତ ଆଇନ ବିଭାଗ, ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆରମ୍ଭରୁ ରଥକାଠକୁ ନେଇ ହୋହଲ୍ଲା ହୋଇଥିଲା। ଗତବର୍ଷ ଓ ଚଳିତ ବର୍ଷ ଫାଶୀ କାଠ ସମସ୍ୟା ନେଇ ସରଗରମ ଆଲୋଚନା ହୋଇଥିଲା। ଏପରିକି ଧଉରା କାଠ ଭଲ ଆସୁନି ବୋଲି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ଅଭିଯୋଗ କରିଥିଲେ। ନୟାଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ କହିଥିଲେ, ଚଳିତବର୍ଷ ୮୧୨ ଖଣ୍ଡ କାଠ ଦେବାକୁ ଆମକୁ ଚିଠି ହୋଇଛି ଓ କାଠ ଚିହ୍ନଟ ସରିଛି। ଆବଶ୍ୟକ କାଠରୁ ୨୮୬ ଖଣ୍ଡ କାଠ କଟା ସରିଛି ଓ ଏଥିରୁ ୧୪୬ ଖଣ୍ଡ କାଠ ପଠାସରିଛି। ନୟାଗଡ଼ କି ଆଖପାଖ ବନଖଣ୍ଡରେ ଆବଶ୍ୟକ ମୋଟେଇର ଫାଶୀ କାଠ ନାହିଁ। ଆମେ ଆଠଗଡ଼ ଓ ଆଖପାଖ ଅଞ୍ଚଳର ୪୩ଜଣ ଦାତାଙ୍କୁ ଠିକ୍ କରିଛୁ।
ସେମାନେ ଚଳିତବର୍ଷ ଆବଶ୍ୟକ ଫାଶୀ କାଠ ଯୋଗାଇଦେବେ। ବାକି ରାଜ୍ୟର କେଉଁ ବନଖଣ୍ଡ ଓ ବ୍ୟକ୍ତିଗତ କାହା ବାଡ଼ିରେ ଫାଶୀ କାଠ ରହିଛି, ତାର ଡକୁମେଣ୍ଟେସନ୍ ଜାରି ରହିଛି। ଆକଳନ ଅନୁଯାୟୀ, ୧୦ ବର୍ଷର ଆବଶ୍ୟକତା ଏହା ପୂରଣ କରିପାରିବ। ୧୦ ବର୍ଷ ପରେ କ’ଣ କରିବେ ବୋଲି ପ୍ରଶ୍ନରେ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ରଥ ନିର୍ମାଣ ପାଇଁ ଆବଶ୍ୟକ ଫାଶୀ କାଠର ଗୋଲେଇ ପ୍ରାୟ ୧୪ ଫୁଟ ହେବା ଆବଶ୍ୟକ। ଏହି ଆକାର ଧାରଣ କରିବା ପାଇଁ ଏକ ଫାଶୀ ଗଛକୁ ୭୦ ବର୍ଷ ଲାଗିଯାଏ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ଫାଶୀ ଗଛ ଅଛି ସତ, କିନ୍ତୁ ଏହା ସେତେ ବଢ଼ିନି। ବାକି ଯେଉଁ ଧଉରା କାଠ ଆମେ କାଟୁଛୁ, ସେଥିରୁ ଅଧିକାଂଶ ପୋଲା ପଡ଼ୁଛି। ଏହା ଏକ ସମସ୍ୟା ଭାବେ ଠିଆ ହୋଇଛି। ତଥାପି ଧଉରା କାଠର ଅଭାବ ନାହିଁ ବୋଲି ସେ କହିଛନ୍ତି।
କଟକ ଖପୁରିଆ କରତକଳକୁ କାଠ ଚିରଟ ପାଇଁ ନ ପଠାଇ, ପୁରୀରେ ଏକ ଅସ୍ଥାୟୀ ଚିରଟ କଳ ସ୍ଥାପନ ପାଇଁ ସେବାୟତମାନେ ଦାବି କରିଥିଲେ। କିନ୍ତୁ ପୁରୀରେ ଅଭୟାରଣ୍ୟ ଥିବା ଓ ଏହା ଆଖପାଖରେ କରତକଳ ନ କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶନାମା ଥିବାରୁ ଏହା ସମ୍ଭବ ନୁହେଁ ବୋଲି ପୁରୀ ଡିଏଫ୍ଓ ବିବେକ କୁମାର କହିଥିଲେ। ତଥାପି ସ୍ବତନ୍ତ୍ର ଅନୁମତିକ୍ରମେ ରଥଯାତ୍ରା ଉପଲକ୍ଷେ ୪ ମାସ ପାଇଁ ଏକ ଅସ୍ଥାୟୀ କରତକଳ ଖୋଲିବାକୁ ସେବାୟତମାନେ ଦାବି କରିଥିଲେ। ଏ ଦିଗରେ ବୈଠକ କରି ବିଚାର କରାଯିବ ବୋଲି ଆର୍ଡିସି ଶ୍ରୀ ଦାସ କହିଛନ୍ତି। ଏଥିସହ ସ୍ବାସ୍ଥ୍ୟ ବିଭାଗ, ଶକ୍ତି ବିଭାଗ, ପୁରୀ ପୌରପାଳିକା, ପରିବହନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ, ଆରଡବ୍ଲୁଏସ୍ଏସ୍ ଆଦି ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା। ସମସ୍ତ ବିଭାଗ ସମନ୍ବୟ ଭିତ୍ତିରେ କାମ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/hsfhfsshfsfh.jpg)