ପହଞ୍ଚିପାରିଲେନି ଭାଇଭଉଣୀ: ଶରଧାବାଲିରେ ତାଳଧ୍ବଜ, ଅଧବାଟରେ ନନ୍ଦିଘୋଷ, ବଡ଼ଶଙ୍ଖରେ ଦର୍ପଦଳନ

ଭକ୍ତ-ଭଗବାନ ଏକାକାର, ବଡ଼ଦାଣ୍ଡରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ପୁରୀ: ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରତ୍ନ ସିଂହାସନ ଛାଡ଼ି ରଥରୁ ଦେଇଛନ୍ତି ଭକ୍ତଙ୍କୁ ଦର୍ଶନ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମହାମିଳନ। ଭକ୍ତମାନେ ବି ଏହି ଦିବ୍ୟ ସାନ୍ନିଧ୍ୟ ପାଇ ଧନ୍ୟ ହୋଇଛନ୍ତି। ବ୍ରହ୍ମାଣ୍ଡ ଠାକୁରଙ୍କ ଆଖି ସହ ଆଖି ମିଶିବା ପରେ ଆନନ୍ଦରେ ବଡ଼ଦାଣ୍ଡରେ ଲୋଟିଛନ୍ତି। କାଳିଆର ରଥ ଓ ଦଉଡ଼ିକୁ ସ୍ପର୍ଶ କରି ବିହ୍ବଳ ହୋଇଛନ୍ତି। ବାଇଶି ପାହାଚରେ ପହଣ୍ଡିରେ ଝୁଲି ଝୁଲି ଆସିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କି ବିଭୋର ହୋଇଛନ୍ତି। ଭଜନକୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତିମୟ ଓ ଭାବବିହ୍ବଳ ପରିବେଶ। ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ, ମଣିମା ମଣିମା ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ଭକ୍ତ ଓ ଭଗବାନଙ୍କ ଏହି ଭାବମୟ ପରିବେଶ ଭିତରେ ଚତୁର୍ଦ୍ଧା ବିଗ୍ରହଙ୍କୁ ନେଇ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ଆଜି ବଡ଼ଦାଣ୍ଡରେ ଘର୍ଘର ନାଦ ଦେଇ ଗଡ଼ିଛନ୍ତି। ସନ୍ଧ୍ୟା ପରେ ଅର୍ଥାତ୍ ରାତି ୮ଟା ଯାଏ ରଥଟଣାଯିବା ପରେ ବି ମହାପ୍ରଭୁଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନାହାନ୍ତି। ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ଆଗରେ ନନ୍ଦିଘୋଷ ଓ ବଡ଼ଶଙ୍ଖ ନିକଟରେ ଦର୍ପଦଳନ ରଥ ଅଟକିଛନ୍ତି। ତେବେ ଆଜି ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚିଛି।

 ବଡ଼ଦାଣ୍ଡରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ
ଘଣ୍ଟନାଦ, ଜୟ ଜଗନ୍ନାଥ, ହରିବୋଲରେ ପ୍ରକମ୍ପିତ ହେଲା ଖଣ୍ଡମଣ୍ଡଳ
ଆଜି ପୁଣି ରଥଟଣା

ଆଜି ପବିତ୍ର ଘୋଷଯାତ୍ରାରେ ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ। ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥ ଉପରୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି। ସଅଳ ପହଣ୍ଡି ସତ୍ତ୍ବେ ରଥଟଣାରେ ବିଳମ୍ବ ତିନି ରଥ ଶରଧାବାଲିରେ ପହଞ୍ଚି ପାରିନାହାନ୍ତି। ଆଜି ଭୋର ୫ଟା ୨୦ରେ ସେନାପଟା ଲାଗି ସାରି ଦଇତାପତି ସେବକମାନେ ବାହାରିବା ପରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ୮ଟା ୧୫ରେ ରଥ ପ୍ରତିଷ୍ଠା ପରେ ସାଢ଼େ ୮ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଅଣସର ପିଣ୍ଡିରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇଶି ପାହାଚ ଦେଇ ସିଂହଦ୍ବାର ଚକଡ଼ାରେ ଥିବା ତିନି ରଥକୁ ବିଜେ କରିଥିଲେ। ମଧ୍ୟାହ୍ନ ୧୨ଟା ୫ ସୁଦ୍ଧା ପହଣ୍ଡି ଶେଷ ପରେ ୧୨ଟା ୨୦ରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଥିଲେ। ପରେ ତିନି ଠାକୁରଙ୍କ ଚିତାଲାଗି, ମଇଲମ ଓ ବେଶ ହୋଇଥିଲା। ଅପରାହ୍ଣ ୨ଟା ୪୫ରେ ସ୍ବତନ୍ତ୍ର ମେହେଣାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ରଥ ନିକଟକୁ ବିଜେ ପରେ ତିନି ରଥର ଛେରାପହଁରା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ, ପରେ ମହାପ୍ରଭୁ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ସୁନାର ଝାଡ଼ୁରେ ଗଜପତି ମହାରାଜ ଛେରାପହଁରା କରିଥିଲେ। ଚାରମାଳ ଫିଟା ସହ ଘୋଡ଼ା, ସାରଥି ଲାଗିବା ପରେ ପ୍ରଥମେ ଅପରାହ୍ଣ ୩ଟା ୫ରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଅପରାହ୍ଣ ୩ଟା ୪୮ରେ ଦେବଦଳନ ଓ ଶେଷରେ ୪ଟା ୪୦ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା।

ଆଜି ସକାଳ ୯ଟାରୁ ପୁଣି ରଥଟଣା
ପୁରୀ: ବହୁ ବର୍ଷର ବ୍ୟବଧାନ ପରେ ଆଜି ତିନି ରଥ ଶରଧାବାଲିରେ ପହଞ୍ଚିପାରିନି। ଏଣୁ ଆସନ୍ତାକାଲି ସକାଳୁ ପୁଣି ରଥଟଣା ଆରମ୍ଭ ହେବ। ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆମେ ସକାଳ ୯ଟାରୁ ରଥ ଟାଣିବାକୁ ଲକ୍ଷ୍ୟ ରଖିଛୁ। ସେହି ଅନୁସାରେ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ। ସେବକ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛୁ ବୋଲି ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର