ପୁରୀ: ରଥଯାତ୍ରା ଭକ୍ତଙ୍କର। ଭକ୍ତ ଓ ଭଗବାନଙ୍କ ମହାମିଳନର ପର୍ବ। କିନ୍ତୁ ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତର ସୃଷ୍ଟି କରିଛନ୍ତି ସେବାୟତ। ମହାପ୍ରଭୁଙ୍କ ଆଗରେ ଠିଆ ହୋଇ ରହିବାରୁ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ସେବାୟତ ଆଗରେ ଛିଡ଼ା ହୋଇ ରହିବାରୁ କେଉଁ ଗଳିରୁ ଟିକେ ଶ୍ରୀମୁଖ ଦର୍ଶନ କରି ଫେରିଛନ୍ତି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷର କାରଣ ହୋଇଛି। ବ୍ୟବସ୍ଥାବଳୀ ହେଉଥିଲେ ବି ଏହା କେବଳ ବ୍ୟବସ୍ଥାବଳୀ ପୁସ୍ତିକାରେ ସୀମିତ ରହୁଥିବାରୁ ସବୁବର୍ଷ ଭକ୍ତ ଏଭଳି ଦଶା ଭୋଗୁଛନ୍ତି ଓ ମନଊଣା କରି ଫେରୁଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଠାରୁ ଆରମ୍ଭ କରି ରାଜପ୍ରସାଦ, ଖଡ଼ିପ୍ରସାଦ ବିଜେ ବେଳେ ଗଜପତି ମହାରାଜା ଏକଥାକୁ ବାରମ୍ବାର ଦୋହରାଇଥିଲେ। ଭକ୍ତ ଯେଭଳି ମହାପ୍ରଭୁଙ୍କ ଭଲ ଦର୍ଶନ ପାଇବେ, ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ବି ଏକଥା ବାରମ୍ବାର ଦୋହରାଇଥିଲେ। କିନ୍ତୁ ଏହାକୁ କେହି ମାନିନାହାନ୍ତି।
ସବୁଠୁ ବଡ଼ ଦୁର୍ଭାଗ୍ୟର କଥା ହେଉଛି, ସେବାୟତମାନେ ପାର୍ଶ୍ବ ଦେବବେଦୀଙ୍କ ଉପରେ ଗୋଡ଼ ରଖିବାକୁ ପଛାଇ ନାହାନ୍ତି।

Advertisment

ପାର୍ଶ୍ବ ଦେବଦେବୀଙ୍କ ଉପରେ ଠିଆହୋଇ ଭକ୍ତଙ୍କୁ ଫୁଲ, ତୁଳସୀ ଫିଙ୍ଗିଛନ୍ତି ଓ ଟଙ୍କା ଆଦାୟ କରିଛନ୍ତି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିନଥିଲା। କିନ୍ତୁ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ଏଭଳି ଅବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ବାରମ୍ବାର ଏଭଳି ଘଟିଥିଲେ ବି କେହି ଏହାକୁ ବାରଣ କରିନାହାଁନ୍ତି। ଭକ୍ତମାନେ ଏହା ଦେଖି କ୍ଷୋଭ ଝାଡ଼ୁଥିଲେ ବି କେହି କର୍ଣ୍ଣପାତ କରି ନଥିଲେ। ଅପରପକ୍ଷେ ଚଳିତ ରଥଯାତ୍ରାରେ ବହୁ ସଂଖ୍ୟାରେ ଅଣସେବକ ରଥରେ ଚଢ଼ିଥିବା ଦେଖିବାକୁ ମିଳିଥିଲା। ଯେଉଁମାନଙ୍କ ସେବା ନ ଥିଲା ସେମାନେ ରଥରେ ବସି ଯାଉଥିଲେ। ସମ୍ବଲପୁର ଅଞ୍ଚଳର ଜଣେ ଯୁବକଙ୍କ ସମେତ ପଶ୍ଚିମବଙ୍ଗ ଓ ଅନେକ ଅଣଓଡ଼ିଆ ବି ରଥରେ ଚଢ଼ିଥିବା ଅଭିଯୋଗ ଉଠିଛି। ଏମାନେ ସେବାୟତ ବେଶରେ ରଥ ଉପରେ ଚଢ଼ିଥିଲେ ବି କେହି କିଛି କହିନଥିଲେ। ଏମାନଙ୍କୁ ଚିହ୍ନଟ ଦାୟିତ୍ବ ରହିଥିଲା ଜେଟିପି ଓ ଦଇତାପତିଙ୍କର। ଏଥିପାଇଁ ପ୍ରତି ରଥରେ ଜେଟିପି ବି ରୁହନ୍ତି। କିନ୍ତୁ କେହି କିଛି କହିନଥିଲେ। ଯାହା ଜଣାପଡ଼ୁଥିଲା, ଆପୋସ ବୁଝାମଣାରେ ଏମାନେ ଚଢ଼ିଥିଲେ।

ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ତିଆରିଛି। ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟିର ସହମତି ଜଣାଇବା ପରେ ବ୍ୟବସ୍ଥାବଳୀ ଚୂଡ଼ାନ୍ତ ହୋଇଛି। ବ୍ୟବସ୍ଥାବଳୀ ଅନୁଯାୟୀ, ଛେରାପହଁରା ପରେ ରଥ ସଂପୃକ୍ତ ସେବକ ଓ କତ୍ତର୍ବ୍ୟରତ କର୍ମଚାରୀଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୭୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ଜଣ ମଧ୍ୟରେ ରହିବେ। ତିନି ରଥର ଠେକେରା ବାଡ଼ରେ କୌଣସି ସେବକ ବସି ପାରିବେନି କି ଠିଆ ହୋଇପାରିବେନି। ତଳକୁ ଫୁଲ, ତୁଳସୀ ପକାଇ ପାରିବେନି। କିନ୍ତୁ ଏହି ନିୟମକୁ ମାଡ଼ି ମକଚି ଦିଆଯାଇଛି। ଗତକାଲି ବହୁ ସଂଖ୍ୟାରେ ସେବକ ରଥ ଉପରେ ଚଢ଼ିବାରୁ ବଡ଼ଠାକୁରଙ୍କ ରଥ ଗଡ଼ି ନଥିଲା। ଶେଷରେ ତଳେ ଥିବା ପୁଲିସମାନେ ଏମାନଙ୍କୁ ଓହ୍ଲାଇବାକୁ ଡାକବାଜିରେ କହିଥିଲେ। ତଥାପି କେହି ଶୁଣିନଥିଲେ। ଠେକେରା ବାଡ଼ରେ ବି ବସିଛନ୍ତି, ତୁଳସୀ, ଫୁଲ ପକାଇଛନ୍ତି। ଯେଉଁଥିପାଇଁ ଦର୍ଶନରେ ବିଶୃଙ୍ଖଳା ଦେଖାଦେଇଛି।