ବାଲେଶ୍ବର : ରଘୁନାଥ ମହାନ୍ତି। ଗୋଟିଏ ସମୟରେ ଶାସକ ବିଜେଡି ଦଳରେ ଥିଲେ ସବୁଠୁ ପ୍ରଭାବଶାଳୀ ନେତା। ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରୁ ଏକାଦିକ୍ରମେ ପାଞ୍ଚ ଥର ବିଧାୟକ ଓ ଦୁଇଥର ମନ୍ତ୍ରୀ ପଦ ଅଳଙ୍କୃତ କରିସାରିଛନ୍ତି ଏହି ବରିଷ୍ଠ ରାଜନେତା। ହେଲେ ସମୟଚକ୍ରରେ ଗୋଟିଏ ଘଟଣା ତାଙ୍କ ରାଜନୈତିକ ଜୀବନକୁ ହଲଚଲ କରିଦେଲା। ନିଜ ବୋହୂ ବର୍ଷାସୋନୀ ନିର୍ଯାତନା ମାମଲାରେ ଶ୍ରୀ ମହାନ୍ତି ଯେତିକି ଅପବାଦ ମୁଣ୍ଡେଇଲେ, ବିରୋଧୀ ରାଜନୈତିକ ଦଳଗୁଡ଼ିକ ତାକୁ ପ୍ରସଙ୍ଗ କରି ଚାରିପଟୁ ଘେରିଲେ। ରାଜ୍ୟ ରାଜନୀତିରେ ଏହା ଥିଲା ସେ ସମୟର ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ। ସ୍ଥିତି ଏମିତି ହେଲା ଯେ, ଶ୍ରୀ ମହାନ୍ତିଙ୍କ ଭଳି ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ବୋହୂ ନିର୍ଯାତନା ମାମଲାରେ ଜେଲ୍‌ ଯିବାକୁ ପଡ଼ିଲା। ଏହାପରେ ଯାହା ହେଲା, ତାହା ଇତିହାସ। ରାଜନୈତିକ ଛକାପଂଝା ମଧ୍ୟରେ ମନ୍ତ୍ରୀ ପଦ ସହିତ କ୍ଷମତାରୁ ତ ଅଦୃଶ୍ୟ ହୋଇଗଲେ, ଅଭିମାନରେ ବିଜେଡି ବି ଛାଡ଼ିଦେଲେ।

Advertisment

ବର୍ତମାନର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ମହାନ୍ତିଙ୍କ ସଂପର୍କ ବିଜେପି ସହିତ। ଯଦିଓ ବିଜେପି ଟିକଟରୁ ସେ ୧୯ ନିର୍ବାଚନ ଲଢ଼ିସାରିଛନ୍ତି, ଦଳରେ କିନ୍ତୁ ତାଙ୍କୁ ସେମିତି କିଛି ପ୍ରାଧାନ୍ୟ ଦିଆଯାଉନାହିଁ। ଦାମ ରାଉତଙ୍କ ଭଳି ଅବସ୍ଥା ତାଙ୍କର। ଢେର ଦିନ କ୍ଷମତା ବଳୟରେ ରହି ଆସିଥିବା ଜଣେ ବରିଷ୍ଠ ନେତା ଏ ସ୍ଥିତିରେ କେମିତି ବା ଖୁସି ରହିପାରିବେ! ବିଜେପିରେ କୋଣଠୋସା ହୋଇ ରହିଥିବା ଶ୍ରୀ ମହାନ୍ତି ଏବେ ପରିବାର ତଥା ନାତି ହିତେଶ ସହ ଅଧିକ ସମୟ ଅତିବାହିତ କରୁଛନ୍ତି। ଏଭଳି ପରିସ୍ଥିତିରେ ଶ୍ରୀ ମହାନ୍ତିଙ୍କ ରାଜନୈତିକ ଜୀବନକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଗତ ନଭେମ୍ବର ମାସ ୧୧ ତାରିଖରେ ଶ୍ରୀ ମହାନ୍ତି ନିଜ ଜନ୍ମଦିନ ପାଳନର ଦୁଇଟି ଭିଡିଓ ଓ ତିନୋଟି ଫଟୋ ଫେସ୍‌ବୁକ୍‌ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଥିଲେ। ଯେଉଁଥିରେ ତାଙ୍କ ପରିବାର ସଦସ୍ୟ କେକ୍‌ କାଟି ଖୁସି ମନାଉଥିବା ବେଳେ ଶ୍ରୀ ମହାନ୍ତିଙ୍କୁ ବୋହୂ ବର୍ଷାସୋନୀ କେକ୍‌ ଖୁଆଉଥିବା ଦେଖିବାକୁ ମିଳିଛି। କୁହାଯାଉଛି, ପାରିବାରିକ ମନାନ୍ତର ପରେ ଏବେ ଶ୍ବଶୁର ବୋହୂ ସଂପର୍କ ମଧୁର ହୋଇଛି। ମାତ୍ର, ରାଜନୀତି ଆଉ ତାଙ୍କୁ ଅଧିକ ଖୁସି ଦେଇ ପାରୁନାହିଁ। ଖୁସି ନଥିଲେ ବୋଲି ଶ୍ରୀ ମହାନ୍ତି ବିଜେଡି ଛାଡ଼ିଥିଲେ। ବିଜେପିରେ ଯୋଗ ଦେବା ପରେ ତାଙ୍କ ପାଖରେ ଖୁସି ହେବା ପାଇଁ ବୋଧହୁଏ କୌଣସି କାରଣ ନାହିଁ।

publive-image

ପ୍ରକାଶଥାଉକି, ଶ୍ରୀ ମହାନ୍ତିଙ୍କୁ ୨୦୧୪ ନିର୍ବାଚନ ପାଇଁ ବିଜେଡିରୁ ଟିକଟ୍‌ ମିଳିଲାନି। ସେହିପରି ପୁଅ ରାଜାଶ୍ରୀକୁ ଜଳେଶ୍ବର ନିର୍ବାଚନମଣ୍ଡଳୀରୁ ଛିଡ଼ା କରିବା ପାଇଁ ଶ୍ରୀ ମହାନ୍ତି ଆଶା ରଖିଥିଲେ। କିନ୍ତୁ ତା ବି ସମ୍ଭବ ହେଳାନି। କାରଣ ବର୍ଷାସୋନୀ ନିର୍ଯାତନା ମାମଲା ସେତେବେଳେ ସତେଜ ଥିଲା। ଫଳରେ ଶ୍ରୀ ମହାନ୍ତି ୧୯ ନିର୍ବାଚନରେ ବିଜେଡି ଛାଡ଼ି ବସ୍ତା ନିର୍ବାଚନମଣ୍ଡଳୀରୁ ବିଜେପି ଟିକଟ୍‌ରେ ଲଢ଼ିଲେ। ହେଲେ ତାଙ୍କୁ ୩ ନମ୍ବର ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ବିଜେଡି ଟିକଟ୍‌ରୁ ଦ୍ବିତୀୟ ଥର ପାଇଁ ଲଢ଼ିଥିବା ନିତ୍ୟାନନ୍ଦ ସାହୁ ୭୧,୭୩୭ ଖଣ୍ଡ ଭୋଟ୍‌ ପାଇ ଜିତିଥିବା ବେଳେ କଂଗ୍ରେସର ବିଜନ ନାୟକ ୫୯,୮୭୩ ଖଣ୍ଡ ଭୋଟ୍‌ ପାଇଲେ। ପ୍ରଥମଥର ପାଇଁ ବିଜେପି ଟିକଟରୁ ଲଢ଼ିଥିବାରଘୁନାଥ ମହାନ୍ତିଙ୍କୁ ମିଳିଲା ମାତ୍ର ୩୬,୮୭୪ ଖଣ୍ଡ ଭୋଟ୍‌।

ଏପରି ସମୟରେ ରଘୁନାଥ ମହାନ୍ତିଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଉଠିଛି ପ୍ରଶ୍ନ। ବିଜେପିରେ ସେ ପ୍ରାୟତଃ ଅଣଦେଖା ହୋଇ ରହିଛନ୍ତି। ଏମିତିକି ନିଜ ନିର୍ବାଚନମଣ୍ଡଳୀରେ ବି ତାଙ୍କୁ ଦେଖିବାକୁ ମିଳୁନି। ଏଭଳି ପରିସ୍ଥିତିରେ ସେ ପୁଣି ବିଜେଡିକୁ ଫେରିପାରନ୍ତି ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ଶ୍ରୀ ମହାନ୍ତିଙ୍କ ମତାମତ ଲୋଡା ଯାଇଥିଲା। ଯାହାର ଉତ୍ତରରେ ଶ୍ରୀ ମହାନ୍ତି ରାଜନୈତିକ ଝଂଝଟ୍‌ ଭିତରେ ରହିବାକୁ ଚାହାନ୍ତି ନାହିଁ ବୋଲି ପ୍ରକାଶ କରିବା ସହ ଏ ବାବଦରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।