ପୁରୀ : ମହାପ୍ରଭୁଙ୍କ ରଘୁନାଥ ବେଶ ଅନନ୍ୟ ତଥା ଅଭିନ୍ନ। ବ‌ର୍ଷେ କି ୧୦ ବର୍ଷ ନୁହେଁ, ଗତ ୧୧୭ ବର୍ଷ ଧରି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ରଖାଯାଇଛି। ରାଜ୍ୟ ସରକାର ତଥା ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଅବା ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମହାପ୍ରଭୁଙ୍କ ଏହି ଅନନ୍ୟ ଓ ସର୍ବବୃହତ ବେଶକୁ ଶ୍ରୀମନ୍ଦିର ଇତିହାସରୁ ସତେ ଯେପରି ସମ୍ପୂର୍ଣ୍ଣ ଲିଭାଇଦେବାକୁ ଯୋଜନା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଯେଉଁଠି କୋଭିଡ୍‌ ମହାମାରୀ ଭିତରେ ଅତି କଷ୍ଟରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଗଲା, ସେଠି ରଘୁନାଥ ବେଶ କରିବାରେ କି ଅସୁବିଧା ବୋଲି ବେଶ କରୁଥିବା ପୁଷ୍ପାଳକ ସେବାୟତମାନେ ପ୍ରଶ୍ନ କରିଛନ୍ତି। ସେପଟେ ଏହା ପଛରେ ସରକାର ତଥା ଶ୍ରୀମନ୍ଦିରର ପ୍ରଶାସନର କିଛି ଦୁର୍ବଳତା ରହିଛି ବୋଲି ଭକ୍ତ ଓ ସେବାୟତ ବି ପ୍ରଶ୍ନ ଉଠାଇଲେଣି। ବିଶେଷ କରି ରତ୍ନଭଣ୍ଡାରେ ୧୧୭ ବର୍ଷ ତଳେ ଗଚ୍ଛିତ ହୋଇ ରହିଥିବା ଏହି ବେଶ ଅଳଙ୍କାର ଏବେ ରତ୍ନଭଣ୍ଡାରରେ ସୁରକ୍ଷିତ ଥିବା ନେଇ ପ୍ରଶ୍ନ କଲେଣି।

Advertisment

ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନଙ୍କ ମତ ଓ ମହାପ୍ରଭୁଙ୍କ ରଘୁନାଥ ବେଶ ଉପରେ ଗବେଷକମାନଙ୍କ ଦ୍ବାରା ଲିଖିତ ବିଭିନ୍ନ ପୁସ୍ତକରେ ଉଲ୍ଲେଖ ରହିଛି ଯେ ମହାପ୍ରଭୁ ରଘୁନାଥ ବେଶରେ ରତ୍ନସିଂହାସନଠାରୁ କଳାହାଟ ଦ୍ବାର ଭିତରେ ଭରତ, ବିଭୀଷଣ, ସୁଶେଣ, ଦଧିମୁଖ, ନଳ, ଜାମ୍ବବାନ, ଶତ୍ରୁଘ୍ନ, ସୁଗ୍ରୀବ, ଅଙ୍ଗଦ, ବାୟୁମୁଖ, ହନୁମାନ, ନୀଳ, ନାରଦ(ଛୋଟ ମୂର୍ତ୍ତି), ଇନ୍ଦ୍ର(ଛୋଟ ମୂର୍ତ୍ତି), ବ୍ରହ୍ମା, କୁବେର, ନୈରୁତ, ବଶିଷ୍ଠ, ବାମଦେବ, ଜାବାଳି, କାଶ୍ୟପ, କାତ୍ୟାୟନ, ସୁଯଜ୍ଞ, ଗୌତମ, ବିଜୟ, ବାୟୁ ଦେବତା, ଗବୟ, ଋଷଭ, ନିୟୁଦ, ସୁମନ୍ତ ଆଦି ୩୧ଜଣ ଦେବତା, ମୁନିଋଷିଙ୍କ ସୁବର୍ଣ୍ଣର ପ୍ରତିମା ପୂଜା ପାଆନ୍ତି।

publive-image atlasobscura.com

ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଶ୍ରୀରାମଚନ୍ଦ୍ର ଓ ଶ୍ରୀବଳଭଦ୍ର ଲକ୍ଷ୍ମଣ ବେଶରେ ଦର୍ଶନ ଦେଇଥାନ୍ତି। ଏହି ଅବସରରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ସୁବର୍ଣ୍ଣର ଶ୍ରୀପୟର ଓ ଶ୍ରୀଭୁଜ ଯୁକ୍ତ କରାଯାଇ ମୁଖ ପଦ୍ମ, କିରୀଟ, ସୂର୍ଯ୍ୟ-ଚନ୍ଦ୍ର, କର୍ଣ୍ଣ କୁଣ୍ଡଳ, ଆଡ଼କାନି, ତିଳକ, ଅଳକା, ଓଡ଼ିଆଣି, ଝୋବାକଣ୍ଠି, ତଡ଼କି, ଘାଘଡ଼ା ମାଳି, ହରିଡ଼ା କଦମ୍ବ ମାଳି, କଦମ୍ବ ମାଳି, ବାଘନଖି ମାଳି, ବହାଡ଼ା ମାଳି, ତାବିଜ ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯାଏ। ଶ୍ରୀଜଗନ୍ନାଥଙ୍କୁ ରାମଚନ୍ଦ୍ର ରୂପେ ବେଶ କରିବା ପରିପ୍ରେକ୍ଷୀରେ ଦୁଇ ହାତରେ ଧନୁତୀର ଧାରଣ ସହିତ ବାଲା, ବାଜୁ ଆଦି ଅଳଙ୍କାର ପିନ୍ଧାଇ ବିରାସନରେ ଉପବେଶନ କରାଯାଏ। ଶ୍ରୀବଳଭଦ୍ର ପଦଛନ୍ଦରେ ତ୍ରିକଚ୍ଛ ପିନ୍ଧି ଧନୁ-ଶର ଧାରଣ କରି ଲକ୍ଷ୍ମଣ ବେଶରେ ଭୂଷିତ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ ବାମ ପାର୍ଶ୍ବରେ ଭରତ, ଶତ୍ରୁଘ୍ନ ଆଦି ଦଣ୍ଡାୟମାନ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ କୋଳରେ ଜଗତ ଜନନୀ ମା’ ଲକ୍ଷ୍ମୀ(ଶ୍ରୀଦେବୀ) ଠାକୁରାଣୀ ସୀତା ରୂପରେ ଉପବେଶନ କରିଥାନ୍ତି। ସମ୍ମୁଖ ଭାଗରେ ସଙ୍କଟମୋଚନ ହନୁମାନ ଜୋଡ଼ହସ୍ତରେ ବସିଥାନ୍ତି। ମା’ ସୁଭଦ୍ରା ଯୋଗମାୟା ରୂପରେ ବିଭିନ୍ନ ରତ୍ନ ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି। ରଘୁନାଥ ବେଶ ସଜ୍ଜା ସର୍ବବୃହତ ହୋଇଥିବାରୁ ରତ୍ନ ସିଂହାସନଠାରୁ କଳାହାଟ ଦ୍ୱାର ବା ଛାମୁ ଦ୍ୱାର ପର୍ଯ୍ୟନ୍ତ କାଠ ପଟାରେ ଅସ୍ଥାୟୀ ସିଂହାସନ ନିର୍ମାଣ କରାଯାଇଥାଏ। ଏହି ସିଂହାସନରେ ଚାମରଧାରୀ ଅଙ୍ଗଦ, ଜୋଡ଼ହସ୍ତ ସୁଗ୍ରୀବ, ଜାମ୍ବବାନ, ବିଭୀଷଣ, ନଳ, ନୀଳ, ସୁଶେଣ, ଗବୟ, ଗବକ୍ଷ ଆଦି ବାନର ସେନା ଦଣ୍ଡାୟମାନ ହୋଇଥାନ୍ତି।

publive-image

ଅଳଙ୍କାର ଉପରେ ନଜର ପକାଇଲେ, ୮୩ ଭରିର ୬୪ତା ସୁନା କଦମ୍ବ ମାଳି, ୧୦୩ ଭରିର ୮୧ଟି ସୁନା ମାଳି, ୫୫ ଭରିର ୮୮ଟି ହରିଡା ସହ ସୁନା କଦମ୍ବ ମାଳି, ୫୧ ଭରିର ୪୨ଟି ସୁନା ତାବିଜ ମାଳି, ୩୬ ଭରିର ସୁନା ତାରରେ ଗୁନ୍ଥା ୩୪ଟି ସୁନା ତାବିଜ ମାଳି, ୪୩ ଭରିର ୪୩ଟି ସୁନା ତାବିଜ ମାଳି, ୫୬ ଭରିର ୧୫୬ଟି ସୁନା କୁରୁ ଜାତକ ମାଳି, ୫୨ ଭରିର ୧୪୫ଟି ସୁନା କୁରୁଜାତକ ମାଳି, ୨୪ ଭରିର ୧୧୩ଟି ସୁନା ବଉଳ କୋଳିଆ ମାଳି, ୨୪ ଭରିର ୧୧୯ଟି ସୁନା ବଉଳ କୋଳିଆ ମାଳି, ୬୩ ଭରିର ୫୨ଟି ହରିଡ଼ା ମାଳି, ପାହାଣ୍ଡିଆ କଣ୍ଠି ୧୦ଟି, ୫୯ ଭରିର ଅଁଳା ମଞ୍ଜିଆ ୩୮ଟି କଣ୍ଠି ମାଳି, ୭ ଭରିର ଆଙ୍କୁ କୋଳିଆ ୬୨ଟି ମାଳି ଓ ଗୋଟିଏ ପଦକ, ୨୨୮ ଭରିର ସୁନା କଣ୍ଠିଆ ଅଁଳା ମଞ୍ଜିଆ ଛୋଟ କଣ୍ଠି ମାଳି, ୧୩ ଭରିର ପୋହଳା ସହ ପ୍ରାୟ ୪୮ ପ୍ରକାରର ସୁବର୍ଣ୍ଣର ଅଳଙ୍କାର ପିନ୍ଧିଥାନ୍ତି। ଏଭଳି ଆହୁରି ଅନେକ ଅଳଙ୍କାର ବି ଶ୍ରୀଜିଉ ପରିଧାନ କରିଥାନ୍ତି।

ଶେଷଥର ୧୯୦୫(ନବମୀ ଗୁରୁବାର) ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ଦର୍ଶନ ଦେଇଥିଲେ। ଏହା ପରଠାରୁ ଆଉ ମହାପ୍ରଭୁଙ୍କୁ ଏହି ବେଶ କରାଯାଇନି। ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଥିଲେ ବି ଆର୍ଥିକ ଦୃଷ୍ଟିକୋଣରୁ ନିରବ ରହିଥିଲା। ସେହିଭଳି ୨୦୨୦ ମସିହାରେ ହେବାକୁ ‌ଯୋଜନା କରାଯାଇଥିଲେ ବି ଏଥର ଏହି ବେଶ ହୋଇପାରିନି। ମହାପ୍ରଭୁଙ୍କ ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର‌ ଖୋଲିବାକୁ ପଡ଼ିବ। କାରଣ ମହାପ୍ରଭୁଙ୍କ ଏହି ବେଶ ସାମଗ୍ରୀ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି। ତେବେ ଏବେ ବି ରତ୍ନଭଣ୍ଡାର ଖୋଲିବା ଏକ ରହସ୍ୟ ହୋଇ ରହିଥିବାରୁ ବାରମ୍ବାର ଦାବି ପରେ ରତ୍ନଭଣ୍ଡାର ଖେଲାଯାଉନାହିଁ କିଂବା ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣନା କରାଯାଉନାହିଁ, ଏ ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଘୁନାଥ ବେଶ ସମ୍ପର୍କିତ ଅଳଙ୍କାର ଓ ବିଭିନ୍ନ ଦେବଦେବୀଙ୍କ ସୁବର୍ଣ୍ଣପ୍ରତିମା ରତ୍ନଭଣ୍ଡା‌ରରେ ସୁରକ୍ଷିତ ଅଛି କିମ୍ବା ନାହିଁ, ସେ ସମ୍ପର୍କରେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରିଲାଣି। ତେଣୁ ଲୋକଙ୍କ ଏହି ସନ୍ଦେହ ଦୂର ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଆଗକୁ ଆସି ଆଗାମୀ ଶ୍ରୀରଘୁନାଥ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରିବାନେଇ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।