ପୁରୀ : ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଣିଥରେ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ରଥକାଠ କାଟିବା ପୂର୍ବରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ବଡ଼ମୂଳ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ବଡ଼ ଧରଣର ପୂଜାର୍ଚ୍ଚନାର ଆୟୋଜନ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦଳ ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ ନେଇ ନୟାଗଡ଼ ଯିବେ। ଆସନ୍ତା ୨୬ ତାରିଖ ମଧ୍ୟାହ୍ନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନର ଏହି ସ୍ବତନ୍ତ୍ର ଦଳ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ବରେ ନୟାଗଡ଼ ଗସ୍ତ କରିବେ।

Advertisment

ଶ୍ରୀ ମେକାପଙ୍କ ସହ ସତ୍ୟନାରାୟଣ ପାତ୍ର, ରଥ ଅମିନ ଲକ୍ଷ୍ମଣ ମହାରଣା, ଭୋଇ ସର୍ଦ୍ଦାର ରବି ଭୋଇ ବି ନୟାଗଡ଼ ଯିବେ। ଏହି ଦଳ ଆସନ୍ତା ୨୬ ତାରିଖରେ ନୟାଗଡ଼ରେ ପହଞ୍ଚିବା ପରେ ପରଦିନ ଅର୍ଥାତ୍‌ ୨୭ ତାରିଖ ସକାଳେ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ। ଚଳିତବର୍ଷର ଆବଶ୍ୟକ ରଥକାଠ ସମ୍ପର୍କରେ ଶ୍ରୀ ମେକାପ କହିଛନ୍ତି, ରଥ ସଂହିତା ଅନୁଯାୟୀ ତିନି ରଥ ପାଇଁ ୮୬୫ ଖଣ୍ଡ ରଥ କାଠ(ଫାସି, ଧଉରା, ଶିମିଳି ଆଦି ଗଛ) ଆବଶ୍ୟକ ଥିବାବେଳେ ଗତବର୍ଷର ୧୧୮ ଖଣ୍ଡ କାଠ ବଳକା ରହିଛି। ଏଣୁ ଚଳିତବର୍ଷ ୭୪୭ ଖଣ୍ଡ ରଥ କାଠ ଆବଶ୍ୟକ ରହିଛି। ପୂଜାର୍ଚ୍ଚନା ପରେ ବିଭିନ୍ନ ବନଖଣ୍ଡରୁ ୭୪୭ ଖଣ୍ଡ ରଥକାଠ କଟା ଆରମ୍ଭ ହେବ। ଏଥିରୁ ୪୦୬ ଖଣ୍ଡ ଖପୁରିଆ କରତ କଳ ଓ ବାକି ୩୪୧ ଖଣ୍ଡ ରଥ କାଠ ରଥଖଳାକୁ ଆସିବ ବୋଲି ଶ୍ରୀ ମେକାପ କହିଛନ୍ତି।