ଦୂରଦର୍ଶନ ଓ ଅନ୍ୟ ଚ୍ୟାନେଲଗୁଡ଼ିକରେ ରଥଯାତ୍ରାର ସିଧାପ୍ରସାରଣ

ନୂଆଦିଲ୍ଲୀ : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଜି କେତେକ କଟକଣା ସହ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଏହାକୁ ନେଇ ଓଡ଼ିଶା ସମେତ ସମଗ୍ର ଦେଶରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ତେବେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ରଥଯାତ୍ରାର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ ପାଇଁ ଭିଜୁଆଲ ମିଡିଆ ବା ଦୃଶ୍ୟମାନ ମାଧ୍ୟମ ( ଟେଲିଭିଜନ)କୁ ଅନୁମତି ଦିଆଯିବ । ଏହା ସହିତ ଟିଭି କ୍ୟାମେରା ଲଗାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ । କୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ କେବଳ ସରକାରୀ ଚ୍ୟାନେଲ ଦୂରଦର୍ଶନ ନୁହେଁ, ଘରୋଇ ଟିଭି ଚ୍ୟାନେଲ ମାନଙ୍କ ପାଇଁ ମଧ୍ୟ ବାଟ ଫିଟିଯାଇଛି । ପୂର୍ବରୁ ସ୍ନାନ ଯାତ୍ରା ସମୟରେ କେବଳ ଦୂରଦର୍ଶନ ଦ୍ୱାରା ଲାଇଭ କରାଯାଇ ତାହାର ଫିଡ ସବୁ ଚ୍ୟାନେଲଙ୍କୁ ଦିଆଯାଇଥିଲା । କିନ୍ତୁ ଏଥର ସମସ୍ତଙ୍କୁ ଅନୁମତି ମିଳିବା ଆଶା କରାଯାଉଛି ।

 

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ଟ୍ଵିଟ କରି ଲେଖିଛନ୍ତି ଯେ ଦୂରଦର୍ଶନ ଓ ଅନ୍ୟ ଚ୍ୟାନେଲଗୁଡ଼ିକରେ ରଥଯାତ୍ରାର ସିଧାପ୍ରସାରଣ କରାଯିବ ।

ସମ୍ବନ୍ଧିତ ଖବର