ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଶେଷ : ସେବାୟତଙ୍କ ସହଯୋଗ ଲୋଡ଼ିଲେ,ରଥଯାତ୍ରା ଶୃଙ୍ଖଳିତ କରିବାକୁ ଆହ୍ଵାନ ଦେଲେ ନବୀନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀରେ ରଥଯାତ୍ରା ଲାଗି ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆହ୍ଵାନ କରିଥିଲେ। ଏଥିସହ ରଥଯାତ୍ରାକୁ ସୁଚାରୁ ରୂପେ ସଂପାଦନ କରିବାକୁ ସେବାୟତମାନଙ୍କ ସହଯୋଗ ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ଵାନକୁ ବୈଠକରେ ଉପସ୍ଥିତ ଥିବା ଛତିଶାନିଯୋଗର ପ୍ରତିନିଧି ଗ୍ରହଣ କରି ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ଶୁକ୍ରବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁରୀର ଗୋପବନ୍ଧୁ ଆର୍ୟୁବେଦ କଲେଜ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯଦିଓ ଆଗରୁ ସେବାୟତମାନେ ବୈଠକ ବସିବ ବର୍ଜନ କରିବାର ଧମକ ଦେଇ ପୋଷ୍ଟର ମାରିଥିଲେ, ଆଜି କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ସେମାନେ ଉପସ୍ଥିତ ରହିଥିଲେ । ରଥଯାତ୍ରା ସହ ସଂପର୍କିତ ସମସ୍ତ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଆଇନମନ୍ତ୍ରୀ ପ୍ରତାପ ଜେନା ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ମୁଖ୍ୟ ସଚିବ ଆଦିତ୍ୟ ପାଢୀ, ପୁଲିସ ମହାନିର୍ଦ୍ଦେଶକ ଆର୍‌.ପି.ଶର୍ମା, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ପୁରୀ ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଓ ଛତିଶାନିଯୋଗର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ।

ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ରଥଯାତ୍ରାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ନୀତିକନ୍ତି ସଂପନ୍ନ କରୁଥିବା ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ କିପରି ତାଳମେଳ ରହିବା ସହ କାର୍ଯ୍ୟନିର୍ଘଣ୍ଟ ଅନୁସାରେ ଯାତ୍ରା ଶୃଙ୍ଖଳାର ସହ ସଂପନ୍ନ ହେବ ତା’ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥି ସହ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଡ୍ରେନେଜ୍‌ ଓ ସ୍ୱରେଜ୍‌ ବ୍ୟବସ୍ଥା କିଭଳି ଠିକ୍‌ ରହିବ ସେ ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ, ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ଚକ୍ରତୀର୍ଥ ରୋଡ୍‌ରେ ତାଙ୍କ ଗାଡ଼ି ଉପରକୁ କିଛି ବିକ୍ଷୋଭକାରୀ ଟମାଟୋ ମାଡ କରିଥିବା ଖବର ଆସିଛି।

ସମ୍ବନ୍ଧିତ ଖବର